ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଳକା ବିଦ୍ୟୁତ ବିଲ ପୈଠ କରିନଥିବା ଉପଭୋକ୍ତାଙ୍କୁ ବିଦ୍ୟୁତ ବିଲ ପୈଠ କରିବା ନିମନ୍ତେ ବିଭାଗ ପକ୍ଷରୁ କିଛି ଦିନର ନିସ୍ତାର ଦିଆଯାଇଥିଲା । ବିଭାଗ ପକ୍ଷରୁ ଦିଆଯାଇଥିବା ନିସ୍ତାର ଦିନମାନଙ୍କ ମଧ୍ୟ ଉପଭୋକ୍ତାମାନଙ୍କୁ ବଳକା ବିଲ ପୈଠ କରିବାକୁ କୁହାଯାଇଥିଲା । ତେବେ ଆଜିଠାରୁ ପୁଣି ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ କାଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଥମେ ସେସୁ, ତାପରେ ନେସ୍କୋ ଆଉ ଏବେ ୱେସ୍କୋ ପକ୍ଷରୁ ବିଦ୍ୟୁତ କାଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ୱେସ୍କୋ ପକ୍ଷରୁ ପଶ୍ଚିମ ଓଡିଶାରେ ବିଦ୍ୟୁତ କାଟ ଆରମ୍ଭ ହୋଇଛି । ଦୀର୍ଘଦିନ ଧରି ପୈଠ କରିନଥିବା ଉପଭୋକ୍ତାଙ୍କ ବିଦ୍ୟୁତ କାଟ କରାଯାଉଛି । ଯେଉଁ ଶିଳ୍ପ ପ୍ରତିଷ୍ଠାନ, ଘରୋଇ ସଂସ୍ଥା, ସରକାରୀ ସଂସ୍ଥା ସହ ଘରୋଇ ଉପଭୋକ୍ତାମାନେ ବହୁ ଦିନ ଧରି ଅର୍ଥରାଶି ପୈଠ କରିନାହାନ୍ତି ସେମାନଙ୍କର ବିଦ୍ୟୁତକୁ କାଟ କରିଦିଆଯାଉଛି । ଡେଡଲାଇନ ତାରିଖ ସମାପ୍ତ ହେବା ସତ୍ୱେ ଏବେ ବି ଅନେକ ଉପଭୋକ୍ତା ନିଜର ବିଦ୍ୟୁତ ବିଲ ପୈଠ କରିନାହାନ୍ତି । ତେଣୁ ପୁଣି ଥରେ ବିଦ୍ୟୁତ କାଟ ଆରମ୍ଭ କରାଯାଇଛି । ବଲାଙ୍ଗୀର, ସମ୍ବଲପୁର ସମେତ ନଅଟି ଜିଲ୍ଲାରେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି ।
ଅନ୍ୟ ପଟେ ବଳକା ବିଦ୍ୟୁତ ବିଲ ଆଦୟ କରିବାକୁ ଯାଇ ନିସ୍ତୁକ ମାଡ ଖାଇଛନ୍ତି ବିଦ୍ୟୁତ କର୍ମଚାରୀ । ଏହିଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଡିଭିଜନ ଠାରେ ଦେଖିବାକୁ ମିଳୁଛି ।ଖୁଣ୍ଟା ଡିଭିଜନର ନାଉପଦା ଗାଁରେ ବିଜୁଳି ବିଲ୍ ଆଦାୟ କରିବା ପାଇଁ ଖୁଂଟା ବିଦ୍ୟୁତ୍ ବିଭାଗର ଏସଡିଓ ପ୍ରଶାନ୍ତ କୁମାର ମାନ୍ନା, ନେସ୍କୋ ବାରିପଦା ଭିଜିଲାନ୍ସ ବିଭାଗର ମ୍ୟାନେଜର ଦୀପକ କୁମାର ଦାସ, ଲାଇନ୍ ମ୍ୟାନ୍ ଦୀପ୍ତିକାନ୍ତ ଭୂୟଁ।, ହେଲପର ଦୟାନିଧି ମହାନ୍ତି ଯାଇଥିଲେ । ତେବେ ନାଉଗାଁର ଶାନ୍ତନୁ କୁମାର ନାଏକଙ୍କ ୩ହଜାର ୩୧ଟଙ୍କା ବିଦ୍ୟୁତ ବିଲ ବାକି ଥିବାରୁ ବିଦ୍ୟୁତ ବିଲ ପୈଠ କରିବା ପାଇଁ କର୍ମଚାରୀମାନେ କହିଥିଲେ ।
ହେଲେ ଶାନ୍ତନୁ ବିଦ୍ୟୁତ ବିଲ ପୈଠ ନକରିବାରୁ ବଦ୍ୟୁତ କର୍ମଚାରୀମାନେ ବିଦ୍ୟୁତ କାଟ କରିଦେଇଥିଲେ । ଏହାପରେ ତ୍ୟକ୍ତ ହୋଇ ଶାନ୍ତନୁ ଓ ତାଙ୍କ ପରିବାର ଲୋକ ବିଦ୍ୟୁତ କର୍ମଚାରମାନଙ୍କୁ ଗାଁ ଦାଣ୍ଡରେ ମାଡ ମାରିଥିଲେ । ଏହା ସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ବିଭାଗ ପହଞ୍ଚି ସହ କର୍ମଚାରୀମାନଙ୍କୁ ଉଦ୍ଧାର କରିଥିଲେ । ଏନେଇ ଖୁଂଟା ଥାନା ରେ ବିଦ୍ୟୁତ କର୍ମଚାରୀମାନେ ଏକ ଲିଖିତ ଅଭିଯୋଗ କରିଛନ୍ତି ।