କେନ୍ଦୁଝର ( ଏଟିଆର ବ୍ୟୁରୋ): ୯ ଦିନ ହେଲା କେନ୍ଦୁଝର ରେଞ୍ଜରେ ଅସୁସ୍ଥ ହୋଇ ପଡିଥିବା ମାଈ ହାତୀ ଆଜି ଆଖି ବୁଝିଛି । ହାତୀଟିର ବୟସ ପାଖାପାଖି ୨୫ ବର୍ଷ ରହିଥିବା ଜଣା ପଡିଛି । ହାତୀଟି ହରପିସ ରୋଗରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଥିଲା । ତେବେ ହାତୀଟିର ଚିକିତ୍ସା ପାଇଁ ଶମିଳିପାଳ ଓ ଭୁବନେଶ୍ୱରରୁ ଡାକ୍ତରୀ ଦଳ ଆସି ଚିକିତ୍ସା କରୁଥିଲେ । ତେବେ ଆଜି ହାତିଟିର ମୃତ୍ୟୁ ହୋଇଛି । ଅତ୍ୟଧିକ ବୟସ ହେତୁ ହାତୀର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ରେଞ୍ଜ ଅଫିସର ମୁକ୍ତିକାନ୍ତ ପରିଡା ।
ସୂଚନାଯୋଗ୍ୟ ଗତ ୨୭ ତାରିଖରେ ହାତୀଟି ଅସୁସ୍ଥ ହୋଇ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ବନ ବିଭାଗ ଓ ଡାକ୍ତରୀ ଟିମ୍ ପହଞ୍ଚି ହାତୀଟିର ଚିକିତ୍ସା ଆରମ୍ଭ କରିଥିଲେ।ହାତୀର ଦେହରେ କୌଣସି କ୍ଷତ ଚିହ୍ନ ନଥିବାରୁ ଏହା ହରପିସ ଭୁତାଣୁଜନିତ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା ।
ମାତ୍ର ଏବେ ହାତୀର ବୟସ ଅଧିକ ହୋଇଥିବାରୁ ତାର ମୃତ୍ୟୁ ହୋଇଥିବା କୁହାଯାଉଛି । ଗତମାସରେ ନନ୍ଦନକାନରେ ୪ ଟି ହାତୀଙ୍କର ହରପିସ ଭୂତାଣୁ ଜନିତ ରୋଗ ଯୋଗୁ ମୃତ୍ୟୁ ହୋଇଥିଲା । ତେବେ ଏହି ହାତୀଟିକୁ ସେଇ ରୋଗ ହେଉଥିବା ଅନୁମାନ କରାଯାଉଥିଲା ।