ଭୁୁବନେଶ୍ୱର,୧୮ା୨/(ବ୍ୟୁରୋ): ଗଲା ୪ଦିନ ହେବ କାହାକୁ ରଖେଇ ବସେଇ ଦେଉନି । କେତେବେଳେ ରାସ୍ତାରେ ତ’ ପୁଣି କେତେବେଳେ ପାର୍କରେ ଖଟି ମାରୁଛି ଦନ୍ତା । ଯେତେ ଗୋଡାଇଲେ ବି ଯାଉନି । ସବୁ ଏରିଆକୁ ଖେଦୁଛି । ଯାହାକୁ ନେଇ ପୂରା ଅଂଚଳରେ ଆତଙ୍କ ଖେଳିଯାଇଛି ।
ଶନିବାର ତ’ ହାତୀ ପୂରା ତାଣ୍ଡବ ରଚିଥିଲା । ରାସ୍ତାରେ ବୁଲୁ ବୁଲୁ ସିଧା ପାର୍କକୁ ଧଶେଇ ପଶିଥିଲା । ଗ୍ରୀଲ ଭାଙ୍ଗିଥିଲା, ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲା । ସେପଟେ ହାତୀକୁ ଧରିବା ଲାଗି ପଛେପଛେ ଧାଇଁଥିଲେ ବନ ବିଭାଗ ଟିମ । ହେଲେ କିଛି ଲାଭ ହୋଇନଥିଲା । ଦୁଇଦିନ ହେଲା ଓୟୁଏଟି ଫାର୍ମ ହାଉସ୍ରେ ଲୁଚି ରହିବା ଖୁଲମଖୁଲା ହାତୀଟି ଏବେ ଏଣେତେଣେ ବୁଲୁଛି । ପରିସ୍ଥିତି ଏପରି ହୋଇଥିଲା ଲୋକଙ୍କ ସୁରକ୍ଷା ଲାଗି ଖଣ୍ଡଗିରି ଓ କୋଳଥିଆ ରାସ୍ତାକୁ ସିଲ୍ କରାଯାଇଥିଲା । ହାତୀଟି ସେଠାରୁ ଦୌଡି ଆସି ସିଧା ଜୟଦେବ ବାଟିକାର ଲୁହା ଗେଟ୍ ଭାଙ୍ଗି ଭିତରକୁ ପଶିଥିଲା ।
ଫଳରେ ଆଜି ଦିନ ତମାମ ଜୟଦେବ ବାଟିକା ପାର୍କ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ଏଥିସହ ହାତୀ ପଶିବା ଭୟରେ ଉଦୟଗିରି ପାହାଡ଼ ଓ ଖଣ୍ଡଗିରି ଗୁମ୍ପା ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି । ଏହି ଭତରେ ପାର୍କରେ ହାତୀଟି ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ମଧ୍ୟ ସୂଚନା ମିଳିଛି ।
ଖଣ୍ଡଗିରି ବାରି ଗ୍ରାମରେ ଆତଙ୍କ ମଚାଇଥିଲା ଦନ୍ତା । କିଏ କବାଟ ବନ୍ଦ କରି ଘରେ ପଶିରହିଥିଲା ତ କିଏ ଏଣେତଣେ ଦୌଡ଼ାଦୌଡ଼ି କରି ପଳାଇଥିଲେ । ଗାଁରେ ହାତୀ ଦୁଇଟି ଘରର କାନ୍ଥ ଭାଙ୍ଗି ଦେଇଥିବା ସୂଚନା ମିଳିଛି । ବନବିଭାଗର ୫୦ ଜଣ କର୍ମଚାରୀ ଘଟଣା ଉପରେ ନଜର ରଖିଛନ୍ତି । ଦନ୍ତାକୁ ପାର୍କରୁ ବାହାର କରିବା ପାଇଁ ବନବିଭାଗ କର୍ମଚାରୀ ଓ ସ୍ଥନୀୟ ପୁଲିସ୍ ବାହାରେ ନିୟୋଜିତ ଅଛନ୍ତି । ହାତୀ ପାର୍କରେ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ଖଣ୍ଡଗିରିର ପର୍ଯ୍ୟଟନସ୍ଥଳୀକୁ ବନ୍ଦ ରଖାଯିବ ବୋଲି ସୂଚନା ମିଳିଛି ।