ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଲୁଟେରାଙ୍କୁ ନେଇ ପୁଲିସର ମୁଣ୍ଡ ବିନ୍ଧା ହେଉଥିବା ବେଳେ ଏବେ ନିଜ ଘର ଢ଼ିଙ୍କି କୁମ୍ଭିର ସାଜିଛି । ଆମେ ଏଥିପାଇଁ ଏକଥା କହୁଛୁ କାରଣ ଏକଦା ପୁଲିସ ବିଭାଗରେ କାମ କରୁଥିବା ଜଣେ କର୍ମଚାରୀ ଲୁଟେରା ସାଜିଛନ୍ତି । ବିଶ୍ୱାସ ହେଉନଥିଲେ ବି ଏଭଳି ଏକ ଘଟଣାର ପର୍ଦ୍ଦାଫାସ କରିଛି ଖାରବେଳନଗର ଥାନା । ଗିରଫ ହୋଇଛନ୍ତି ପୂର୍ବତନ ପୁଲିସ ହୋମଗାର୍ଡ ବିଶ୍ୱନାଥ ସାହୁ ।
ବିଶ୍ୱନାଥଙ୍କ ଘର ଜଟଣୀ ଅଞ୍ଚଳରେ ବୋଲି ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁସାରେ, ବିଶ୍ୱନାଥ ଲାଲଚାନ୍ଦ ପାଖରୁ ଲୁଟ କରି ପୋଲିସ ସ୍କାନରକୁ ଆସିଥିଲେ । ଜୈନିକ ବ୍ୟକ୍ତି ଲାଲଚାନ୍ଦରୁ କିଣାକିଣି କରି ଯାଉଥିବା ବେଳେ ପୂର୍ବରୁ ଛକି ବସିଥିବା ବିଶ୍ୱନାଥ ଅଚାନକ ତାଙ୍କ ହାତରୁ ବ୍ୟାଗ ନେଇ ଚମ୍ପଟ ମାରିଥିଲା । ଏନେଇ ଲୁଟର ଶିକାର ବ୍ୟକ୍ତି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆରମ୍ଭ କରିଥିଲା ଖୋଳତାଡ ।
ସିସିଟିଭି ଫୁଟେଜ ଓ ସୂତ୍ରରୁ ଖବର ପାଇ ବିଶ୍ୱନାଥ ହିଁ ଲୁଟେରା ବୋଲି ପୁଲିସ ଜାଣିବାକୁ ପାଇଥିଲା । ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ରିପୋର୍ଟ କହୁଛି ପୂର୍ବରୁ ଏକାଧିକ ବାର ଲୁଟ ଘଟଣାରେ ଜଡିତ ରହିଛି ବିଶ୍ୱନାଥ ।