ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଯୁକ୍ତ ୩ ପରୀକ୍ଷା ଖାତା ଦେଖୁଥିବା ଅଧ୍ୟାପକଙ୍କ ଖାତା ଦେଖା ପାଉଣା ବଢିବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳ ପ୍ରକାଶ ପାଇବା ପାଇଁ ହୋଇଥିବା ଏକ ଗରୁତ୍ୱପୂର୍ଣ୍ଣ ବୈଠକରେ ଏହା ଘୋଷଣା କରିଛନ୍ତି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ।
କେବଳ ଖାତା ଦେଖୁଥିବା ଅଧ୍ୟାପକଙ୍କ ପାଉଣା ବଢିବ ତା ନୁହେଁ ପ୍ରଶ୍ନ ପତ୍ର ପ୍ରସ୍ତୁତ କରୁଥିବା ଅଧ୍ୟାପକଙ୍କ ପାଉଣା ମଧ୍ୟ ବୃଦ୍ଧି ପାଇବ ବୋଲି ସୂଚନା ମଳିଛି । ପୂର୍ବରୁ ପ୍ରଶ୍ନ ପ୍ରସ୍ତୁତକାରୀଙ୍କୁ ୫୦୦ ଟଙ୍କା ମିଳୁଥିବା ବେଳେ ଏହି ଏହି ପାଉଣାକୁ ଦୁଇଗୁଣା କରାଯାଇଛି । ଅର୍ଥାତ ଏଣିକି ୧ ହଜାର ଟଙ୍କା ମିଳିବ । ସୂଚନାଯୋଗ୍ୟ ପ୍ରତିବର୍ଷ ଖାତା ଦେଖାରେ ବିଳମ୍ଭ ହେଉଥିବାରୁ ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟ ମଧ୍ୟରେ ବାହାରି ପାରେ ନାହିଁ ।
ଅନ୍ୟପଟେ ଖାତା ଦେଖାରେ ସୁଧାର ଆଣିବା ପାଇଁ ଖାତା ଦେଖା କେନ୍ଦ୍ର ମଧ୍ୟ ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ପ୍ରତି ୧୨ ରୁ ୧୫ ଟି କଲେଜକୁ ନେଇ ଗୋଟେ ଖାତା ଦେଖା କେନ୍ଦ୍ର ଖୋଲା ଯିବ । ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ କିଭଳି ଫଳ ପ୍ରକାଶ ପାଇବ ସେ ନେଇ ମନ୍ତ୍ରୀ ପରିକ୍ଷା ପରିଚାଳନା କରୁଥିବା ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ।