ଅନୁଗୋଳ ( ଏଟିଆର ବ୍ୟୁରୋ): ସାବଧାନ ମାତିଛନ୍ତି ଆଖିଚୋର । ଶବାଗାରରୁ ଗାଏବ ହେଲା ମୃତ ବ୍ୟକ୍ତିଙ୍କ ଆଖି । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଖି ତାଡ଼ି ନିଆଯାଇଥିବା ଅଭିଯୋଗ ହୋଇଛି। ଏମିତି ଘଟଣା ପୁଣି ଥରେ ଦେଖିବାକୁ ମିଳିଛି ଅନୁଗୁଳ ଡାକ୍ତରଖାନାରେ । ସୂଚନା ଅନୁସାରେ ଗତକାଲି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା କୁଶକିଳାଗାଁର ଜମ୍ବେଶ୍ବର ନାୟକଙ୍କର।
ନିୟମ ଅନୁସାରେ ମୃତକଙ୍କ ଶବ ବ୍ୟବଛେଦ ପାଇଁ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣା ଯାଇଥିଲା । ପରେ ଶବାଗାରରେ ମୃତଦେହ ରଖାଯାଇଥିଲା । ଆଜି ପୋଷ୍ଟମର୍ଟମ କରିବାକୁ ମୃତଦେହ କାଢିବା ପରେ ଡାହାଣ ଆଖି ନଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକ ଧାରଣା ଦେଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖା ଦେଇଛି ।
ସୂଚନାଯୋଗ୍ୟ ୫ ଦିନ ତଳେ ଏମିତି ଏକ ଘଟଣା ଅନୁଗୋଳ ମେଡିକାଲରୁ ନଜର ଆସିଥିଲା । ଗତ ୧୯ ତାରିଖରେ ଅନୁଗୋଳ ଡାକ୍ତରଖାନାରୁ ଜଣେ ୪ ବର୍ଷର ଝିଅର ମୃତଦେହରୁ ଆଖି ଗାଏବ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଘଟଣାକୁ ୫ ଦିନ ହୋଇ ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏନେଇ କୌଣସି ସୂଚନା ମିଳି ନାହିଁ । ମେଡିକାଲ କତ୍ତୃପକ୍ଷଙ୍କ ଖାମଖୟାଲ ନେଇ ଏଭଳି କାରାନାମା ହେଉଥିବା ସାଧାରଣରେ ଆଲୋଚନା ହେଉଛି ।