ମାଲକାନଗିରି( ଏଟିଆର ବ୍ୟୁରୋ): ମାଲକାନଗିରିରେ ଠାବ ହେଲେ ୫ ଜଣ ନକଲି ମାଓବାଦୀ । ଫୋନ କରି ଗୋଟେ ପଥର ଖନନ କମ୍ପାନୀକୁ ବଟି ମାଗୁଥିଲେ । କମ୍ପାନୀର ମାଲିକଙ୍କୁ ୫୦ ଲକ୍ଷ ଟଙ୍କା ବଟି ମାଗୁଥିଲେ । ଫୋନ ଟ୍ରାପରୁ ଧରାପଡିଲେ ଏହି ନକଲି ମାଓବାଦୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ମୋଟୁ ଥାନା ପେଟା ଗାଁରେ । ଦୀର୍ଘ କିଛି ଦିନ ହେଲା ଜିଭି ଗ୍ରେନାଇଟ ନାମକ ଏକ କମ୍ପାନୀକୁ ସେମାନେ ବଟି ମାଗୁଥିଲେ । ଏମିତି କି ଟଙ୍କା ନଦେଲେ ସେମାନେ କମ୍ପାନୀର ଅଫିସକୁ ବୋମା ମାରି ଉଡାଇ ଦେବାକୁ ମଧ୍ୟ ଧମକ ଦେଉଥିଲେ । କମ୍ପାନୀର ମାଲିକଙ୍କୁ ମଧ୍ୟ ଜୀବନରୁ ମାରି ଦେବାକୁ ଧମକ ଦେଉଥିଲେ ।
ତେବେ କମ୍ପାନୀ ମାଲିକ ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତି କରି ଉକ୍ତ ନଂ ଟ୍ରାପ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା । ପରେ ପୋଲିସ ଖୋଳତାଡରୁ ଜାଣିବାକୁ ପାଇଥିଲା କି ଏମାନେ ସମସ୍ତେ ନକଲି ମାଓବାଦୀ ପରିଚୟ ଦେଇ ବଟି ଦାବି କରୁଥିଲେ । ୫ ଜଣଙ୍କ ମଧ୍ୟରୁ ୩ ଜଣ ମୋଟୁ ଅଞ୍ଚଳର ହୋଇଥିବା ବେଳେ ୨ ଜଣ ଆନ୍ଧ୍ର ପ୍ରଦେଶର ବୋଲି ଜଣା ପଡିଛି । ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।