କୋଣାର୍କ ( ଏଟିଆର ବ୍ୟୁରୋ): ୧୯୯୯ ମସିହା ମହାବାତ୍ୟା ପରେ ଓଡିଶା କେବେ ଏମତି ବାତ୍ୟା ଦେଖି ନଥିଲା । ଏଇ ମଝିରେ ହୁଡହୁଡ , ଫାଇଲିନ ପରି ବାତ୍ୟାମାନ ଓଡିଶାକୁ ଆସିଛି ମାତ୍ର କ୍ଷୟକ୍ଷତି କେବେ ଏମିତି ହୋଇ ନଥିଲା । ଯୁଆଡେ ଦେଖିବ ସିଆଡେ ଖାଁ ଖାଁ । ପର୍ଯ୍ୟଟନ କ୍ଷେତ୍ର ପୁରୀ କଥା ନ କହିଲେ ଭଲ । ଓଡିଶାର ମେରୁଦଣ୍ଡ ଭାଙ୍ଗି ଯାଇଛି । କୋଣାର୍କ ଠାରୁ ପୁରୀ ମେରାଇନ ଡ୍ରାଇଭ ଚିହ୍ନ ବି ହଜିଯାଇଛି । ଦୁଇ ପାଖରେ ଥିବା ହଜାର ହଜାର ଝାଉଁ ଗଛ ଭାଙ୍ଗି ଖୁଣ୍ଟା ଠିଆ ହୋଇଛି । ଯାହାକୁ ଦେଖିଲେ ନିଜ ଆଖିକୁ ବିଶ୍ୱାସ କରି ହେଉନାହିଁ । କୋଣାର୍କ ମନ୍ଦିରର ମଧ୍ୟ ସମାନ ଅବସ୍ଥା ।
ପାଖରେ ଥିବା ସୁନ୍ଦର ସୁନ୍ଦର ଗଛ ଏବେ ପାଲଟି ଯାଇଛି ଇତିହାସ । ଆଗରୁ କୋଣାର୍କକୁ ଅତି ପାଖରୁ ଦେଖିଥିବା ପର୍ଯ୍ୟଟକ ଏବେ ନିଜକୁ ବି ବିଶ୍ୱାସ କରି ପାରୁନାହାନ୍ତି । ସତରେ କ’ଣ ଏ ସେହି କୋଣାର୍କ ଯାହାକୁ ସେ ପୂର୍ବରୁ ଦେଖିଥିଲେ । ମନ୍ଦିର ଅଛି ହେଲେ ସୌନ୍ଦର୍ଯ୍ୟ ନାହିଁ କି ସେ ଚମକ ନାହିଁ । ସେହିଭଳି ମାଳତିପାଟପୁର ବସଷ୍ଟାଣ୍ଡ ରୂପ ବଦଳି ଯାଇଛି ।
ନବକଳବର ବେଳେ ନିର୍ମାଣ ହୋଇଥିବା ଏହି ବସ୍ ଷ୍ଟାଣ୍ଡଟିର ୫୦ ପ୍ରତିଶତରୁ ଅଧିକ ଭାଙ୍ଗିରୁଜି ଚୂରମାର ହୋଇଯାଇଛି । ସବୁବେଳେ ହଜାର ହଜାର ଲୋକଙ୍କ ଗହଳିରେ ଫାଟି ପଡୁଥିବା ଏହି ବସ ଷ୍ଟାଣ୍ଡ ଟି ଏବେ ଜନଶୂନ୍ୟ । ଯେମିତି ଲୋକଙ୍କୁ ପରିହାସ କରି କହୁଛି ଦେଖରେ କେତେ ଭୟଙ୍କର ହୋଇପାରେ ବାତ୍ୟା । ପୁରୀ ସହରରେ ମଧ୍ୟ ବାତ୍ୟାରେ ବେଶି ପ୍ରଭାବିତ ହୋଇଛି ।