ସମ୍ବଲପୁର(ଏଟିଆର ବ୍ୟୁରୋ): ଟୋକନ ବ୍ୟବସ୍ଥାକୁ ବିରୋଧ କରି ଗତ କିଛି ଦିନ ହେବ ପଶ୍ଚିମ ଓଡିଶାରେ ଚାଷୀ ମାନେ ଆନ୍ଦୋଳନ କରୁଛନ୍ତି । ତେବେ ଚାଷୀ ମାନେ ଏହି ଆନ୍ଦୋଳନକୁ ଆଜି ଆହୁରି ତୀବ୍ର କରିଛନ୍ତି । ଆଜି ସକାଳେ ଚାଷୀ ମାନେ ଗୋଡଭଗା ଛକରେ ଧାନ ବସ୍ତା ରଖି ସମ୍ବଲପୁର-ବରଗଡ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ରାଜ ରାସ୍ତାର ଉଭୟ ପଟରେ ବହୁ ଯାନବାହାନ ଠିଆ ହୋଇ ରହିଛି । ଶହ ଶହ ଚାଷୀ ମାନେ ଆଜି ରାଜ ରାସ୍ତାକୁ ଓହ୍ଲାଇ ଏହି ଆନ୍ଦୋଳରେ ସାମିଲ ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ଚାଷୀ ସଂଗଠନ ସହ ମନ୍ତ୍ରୀ ସୁଶାନ୍ତ ସିଂ, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ସମ୍ବଲପୁର ଜିଲ୍ଲାପାଳ, ଡିଆଇଜି ସମ୍ବଲପୁର ସ୍ଥିତ ସର୍କିଟ ହାଉସରେ ଆଲୋଚନା କରିଥିଲେ । ହେଲେ ଏହି ଆଲୋଚନାରେ କୌଣସି ପ୍ରକାରର ସୁଫଳ ମିଳି ପାରି ନଥିଲା ।
ଏହା ପରେ ଚାଷୀ ସଂଗଠନ ମାନେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ । ତେବେ କିଛି ଦିନ ପୂର୍ବ ଚାଷୀ ମାନେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ୪ଜଣ ବିଧାୟକ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଘର ସମ୍ମୁଖରେ ଧାନ ବସ୍ତା ଗଦାଇ ରଖି ଥିଲେ । ଅନ୍ୟପକ୍ଷରେ ସରକାର ତାଙ୍କ ନିଷ୍ପତିରେ ଅଟଳ ଅଛନ୍ତି । ସରକାର ଚାଷୀଙ୍କ ସୁବିଧା ପାଇଁ ଟୋକନ ବ୍ୟବସ୍ଥା କରିଥିବାର କହୁଥିବା ବେଳେ ଚାଷୀଙ୍କୁ ହଇରାଣ କରିବାକୁ ଏହି ଭଳି ବ୍ୟବସ୍ଥା କରିଥିବାର ଚାଷୀ ମାନେ ଅଭିଯୋଗ କରିଛନ୍ତି । ପୂର୍ବ ବର୍ଷ ଭଳି ପି ପାସ ବ୍ୟବସ୍ଥା କରି ଧାନ ବିକ୍ରି କରିବା ପାଇଁ ଚାଷୀ ମାନେ ଦାବୀ ରଖିଛନ୍ତି । ଚାଷୀ ମାନଙ୍କ ଦାବୀ ପୂରଣ ନହେଲେ ଆଗକୁ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚାଷୀ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।