ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଘଟଣା ସମ୍ମାକୁ ଆସିଛି । ଫସଲ ନଷ୍ଟ ହେବା କାରଣରୁ ଚାଷୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏହିଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଲାରେ ଘଟିଛି । ମିଳିଥିବା ସୂଚନା ମୁତାବକ, ବାତ୍ୟା ବୁଲବୁଲରେ ଫସଲ ନଷ୍ଟ ହେବା କାରଣରୁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ନୂରୁଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ବାତ୍ୟା ବୁଲବୁଲ ପୁର୍ବରୁ ଫସଲ କରିବା ପାଇଁ ଚାଷୀ ଜଣଙ୍କ ଲକ୍ଷାଧିକ ଟଙ୍କାର ଋଣ ଆଣିଥିଲେ । ହେଲେ ବାତ୍ୟା ବୁଲବୁଲ ଫଳରେ ତାଙ୍କର ଚାଷରେ କ୍ଷତି ହୋଇଥିଲା । ଚାଷ କାର୍ଯ୍ୟରେ କ୍ଷତି ହେଉଥିବାର ଦେଖି ଚାଷୀ ଜଣଙ୍କ କିପରି ଋଣ ପରିଶୋଧ କରିବେ ସେ ଚିନ୍ତାରେ ରହୁଥିଲେ । ଋଣଭାର ଯୋଗୁଁ ଚାପଗ୍ରସ୍ତ ହେବା ଫଳରେ ଚାଷୀ ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକ ସଙ୍ଗେ ସଙ୍ଗେ କଟକ ଏସସିବିରେ ଭର୍ତ୍ତି କରାଇଥିଲେ ମଧ୍ୟ ତାଙ୍କ ଜୀବନ ଚିକିତ୍ସାଧିନ ଅବସ୍ଥାରେ ଚାଲିଯାଇଥିଲା ।