ମୟୂରଭଞ୍ଜ (ଏଟିଆର ବ୍ୟୁରୋ) ; ସମସ୍ତଙ୍କ ପେଟଳୁ ଦାନା ଦେଇ ମୁହଁରେ ହସ ଦେଉଥାଏ ଚାଷୀ । ନିଜର ଦୁଃଖମୟ ଜୀବନରେ ସବୁବେଳେ କୋହଭରା ହୃଦୟରେ ଥାଏ ନିଜେ ଚାଷୀ । ଝାଳ ବୁହାଇ କଠିନ ପରିଶ୍ରମ କରି କରିଥିବା ଫସଲ ଯଦି ନଷ୍ଟ ହୋଇଯାଏ ତେବେ ଚାଷୀକୂଳ ଭାସିଯାଇଥାନ୍ତି ଲୁହର ସମୁଦ୍ରରେ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଳା ଗୋପବନ୍ଧୁନଗର ବ୍ଳକରେ । ଏଠାକାର ଚାଷୀଙ୍କୁ କନ୍ଦାଉଛି ଚକଡା ପୋକ । ଏକର ଏକର ଚଷ ହୋଇଥିବା ଧାନ ଫସଲ ଏବେ ନଷ୍ଟ ହେବାକୁ ବସିଛି । ବ୍ଳକର ଆରପଟ ପଞ୍ଚାୟତର ସବୁ ଚାଷୀଙ୍କର ୬୦ ପ୍ରତିଶତ ଚାଷ ଜମି ପ୍ରଭାବିତ ହୋଇଛି । ଯାହାକୁ ନେଇ ଚିନ୍ତାରେ ସ୍ଥାନୀ ଚାଷୀ ।
ଚକଡା ପୋକ ଲାଗିବା ପରେ ଧାନ ଗଛ ମୂଳ ପଚି ଯାଇଛି । ଅଦିନିଆ ବର୍ଷା ସାଙ୍ଗକୁ ତିତଲି ପ୍ରଭାବରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ନିଜର ବହୁ ପରିଶ୍ରମରେ କରିଥିବା ଫସଲ ଆଖି ଆଗରେ ନଷ୍ଟ ହେଉଥିବାକୁ ସହ୍ୟ କରିପାରୁ ନାହାଁନ୍ତି ଚାଷୀ । ତେବେ ଗୋଟିଏ ପଞ୍ଚାୟତର ଏକର ଏକର ଚାଷ ଜମି କ୍ଷତି ହେବାକୁ ବସିଥିବା ବେଳେ ଗୋପବନ୍ଧୁନଗର ତହସିଲ ସୁପରଭାଇଜରଙ୍କ ପାଖରେ କୈାଣସି ଖବର ବି ନାହିଁ । ସରକାରଙ୍କ ତରଫରୁ କିଛି କୀଟନାଶକ ଔଷଧ ବି ମିଳିନଥିବା ଅଭିଯୋଗ କରିଛନ୍ତି ପ୍ରଭାବିତ ହୋଇଥିବା ଚାଷୀ ମାନେ । ଏମାନେ କୃଷି ଏବଂ ରାଜସ୍ୱ ବିଭାଗରେ ଅଭିଯୋଗ କରିଥିଲେ ମଧ୍ୟ ଏମାନଙ୍କ କଥାକୁ କେହି ଶୁଣିନାହାଁନ୍ତି । ସରକାର ୯ଟି ଜିଲ୍ଲାକୁ ମରୁଡି ଅଞ୍ଚଳ ଘୋଷଣା କରିଛନ୍ତି ଫଳରେ ଗୋଟିଏ ପଟର ଚାଷୀ ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ ପାଇବା ପାଇଁ ହକଦାର ଥିବା ଏପଟେ ଚାଷୀ ମାନେ ହତାସ ହୋଇଛନ୍ତି । ତେବେ ଶେଷ ପର୍ଯ୍ୟନ୍ତ ସରକାରୀ ସହାୟତା ଉପରେ ଆଶା କରି ଚାହିଁ ବସିଛନ୍ତି ଏହି ଚାଷୀମାନେ ।