ନବରଂଗପୁର,(ଏଟିଆରବ୍ୟୁରୋ): ସାମାନ୍ୟ ଅନ୍ଧବିଶ୍ୱାସ ଯୋଗୁ ଘଟି ଯାଉଛି ବହୁ ଅଘଟଣ । ଅକାଳେ ଯାଉଛି ଜୀବନ । ଖାସ କରି ଏବେ ମାରାତ୍ମକ ଘଟଣା ସାଜିଛି ପିଲାଙ୍କୁ ଚେଙ୍କ ଦେବା କଥା । ଟିକେ ଟିକେରେ ପିଲାଙ୍କୁ ଭଲ ହେବା ଲାଗି ଚେଙ୍କ ଦିଆଯାଉଥିବା ଘଟଣା କେଉଁଠି ନା କେଉଁଠି ହରଦମ ସାମ୍ନାକୁ ଆସୁଛି । ଯେଉଁଥିରେ ପରିବର୍ତ୍ତନ ଆଣିବା ଲାଗି ଏକ ଛୋଟିଆ ପ୍ରୟାସ ସହ ଅନ୍ଧବିଶ୍ୱାସକୁ ଦୂରେଇବା ଲାଗି ନିର୍ମାଣ ହୋଇଛି ଏକ ସଚେତନମୂଳକ ସର୍ଟ ଫିଲ୍ମ ‘ଚେଙ୍କ’ ।
ଏହି ଫିଲ୍ମକୁ ଆଜି ନବରଂଗପୁର ଜିଲ୍ଲାର ରୋକି ସାହନ ହୋଟେଲରେ ଉନ୍ମୋଚିତ କରାଯାଇଛି । ସ୍ଥ୍ାନୀୟ ବିଧାୟକ ହୋଟେଲରେ ପହଞ୍ଚି ଫିଲ୍ମଟିକୁ ଉନ୍ମୋଚିତ କରିଥିଲେ । ଏହି ଅବସରରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପରିକ୍ଷୀତ ସେଠି, ସିଡିଏମଓ ସରୋଜ କୁମାର ନାୟକ ଓ ବିଡିଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ । ଚେଙ୍କ ବହୁତ ମାରାତ୍ମକ । ଏଥିରେ ରୋଗ ଭଲ ହୁଏ ନାହିଁ ବରଂ ଜୀବନ ଚାଲିଯାଏ । ତେଣୁ ଭଲ ହେବା ପାଇଁ ଚେଙ୍କ ନୁହେଁ ବରଂ ଚିକିତ୍ସା ଆବଶ୍ୟକ ବୋଲି ଉପସ୍ଥିତ ଅଧିକାରୀମାନେ ମତ ରଖିଥିଲେ ।
ସେପଟେ ଖାସ କରି ଲୋକଙ୍କୁ ସଚେତନ କରାଇବା ଲାଗି ଚେତନା ଗ୍ରୁପ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ୨୫ମିନିଟର ଫିଲ୍ମକୁ ବେଶ ପ୍ରଶଂସା କରାଯାଇଥିଲା । ଏହାକୁ ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚାଇବାକୁ ସୋସିଆଲ ମିଡିଆର ସହଯୋଗ ନେବାକୁ ଉପସ୍ଥିତ ଅଧିକାରୀମାନେ ପରାମର୍ଶ ଦେଇଥିଲେ । ଏହି ଫିଲ୍ମରେ ୧୨ଜଣ କଳାକାର ଅଭିନୟ କରିଥିବା ସୂଚନା ମିଳିଛି । ମୁଖ୍ୟ ଭୁମିକାରେ ଅଭିନୟ କରିଥିବା ଦେବଦାସ ମହାକୁଣ୍ଡଙ୍କୁ ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି ।
ନବରଂଗପୁରରୁ ରଶ୍ମିରଞ୍ଜନ ସାମଲଙ୍କ ରିପୋର୍ଟ ଏଟିଆର ନ୍ୟୁଜ ।