ଭୁବନେଶ୍ୱର (ଏଟିଆର ବ୍ୟୁରୋ ) : ଅଧରାତିରେ ଜଳିଲା ବ୍ୟାଙ୍କ । ହୁତ ହୁତ ହୋଇ ଜଳିଲା ନିଆଁ । ନିଆଁର ଆଁ ରେ ପୋଡି ପାଉଁଶ ହୋଇଗଲା ବିଡା ବିଡା ଦସ୍ତାବିଜ । ଭୁବନେଶ୍ୱର ଗଣ୍ଡମୁଣ୍ଡା ଅଂଚଳରେ ଥିବା ଓରିଏଂଟାଲ ବ୍ୟାଙ୍କ ଅଫ୍ କର୍ମସର ରାଜ୍ୟ ମୁଖ୍ୟ ଶାଖାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ତେବେ ଏହି ଅଗ୍ନିକାଣ୍ଡର କାରଣ ଖୋଜିବାକୁ ଆରମ୍ଭ ହୋଇଛି ଛାନଭିନ ।
ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବ୍ୟାଙ୍କର ପ୍ରଥମ ମହଲାରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ସିକ୍ୟୁରିଟି ଗାର୍ଡ । ପରେ ଦମକଳ ବାହିନୀ ଖବର ପାଇ ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ପାଖାପାଖି ୧୩ରୁ ୧୫ଟି ଦମକଳ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇଥିଲେ । ରାତି ୪ଟା ପର୍ଯ୍ୟନ୍ତ ଚାଲିଥିଲା ନିଆଁଲିଭା । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଥିଲେ ବି ଏହାପଛର କାରଣ ଖୋଜିବାକୁ ତଦନ୍ତ ଆରମ୍ଭ ହୋଇଛି ।
ଏହି ଅଗ୍ନିକାଣ୍ଡରେ ବ୍ୟାଙ୍କର ପ୍ରଥମ ମହଲା ସଂପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି । କମ୍ପ୍ୟୁଟର ସହ ବ୍ୟାଙ୍କରେ ଥିବା ଯାବତୀୟ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପୋଡି ନଷ୍ଟ ହୋଇ ଯାଇଛି । ଏହାସହ ଦ୍ୱିତୀୟ ମହଲାର କିଛି ଅଂଶ ମଧ୍ୟ ପୋଡି ଯାଇଥିବା ଜଣାପଡିଛି । ତେବେ କ୍ୟାସ ରହୁଥିବା ଜୋନ ଅଗ୍ନିକାଣ୍ଡରୁ ବର୍ତ୍ତୀ ଯାଇଥିବା ବେଳେ ନିଆଁ ଲିଭା ବେଳେ ଅନେକ ନୋଟ ନଷ୍ଟ ହୋଇ ଯାଇଛି ।