ଖୋର୍ଦ୍ଧା(ଏଟିଆର ବ୍ୟୁରୋ): ଆଜି ହେଉଛି ପହିଲି ରଜ । ବର୍ତ୍ତମାନ କରୋନା ମହାମାରୀ ପାଇଁ ସମସ୍ତେ ଘରେ ରହି ରଜ ଉତ୍ସବ ପାଳନ କରୁଛନ୍ତି । ହେଲେ ପହିଲି ରଜରେ ରାଜ୍ୟରେ କେଉଁଠି ଗୁଳି ଫୁଟିଛି ତ ଆଉ କେଉଁଠି କ୍ଷୀର ବ୍ୟବସାୟୀଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି । ପହିଲି ରଜ ସକାଳ ଖୋର୍ଦ୍ଧା ଜିଲ୍ଲା ଦଧିମାଛଗାଡିଆ ଅଞ୍ଚଳରେ ଗୁଳି ଫୁଟିଛି । ରକ୍ତରେ ଭିଜିଛି ରାସ୍ତା । ସୂଚନା ଅନୁସାରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆର ବଡ ଶବର ସାହିରେ ଆଜି ସକାଳ ସମୟରେ ଏହି ଗୁଳିକାଣ୍ଡ ଘଟିଛି । ଫଳରେ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବକ ଜଣଙ୍କ ହେଲେ ସ୍ଥାନୀୟ ଅଞ୍ଚଳର ଲାଲା ପ୍ରାଧାନ । ପୂର୍ବ ଶତୃତାକୁ କେନ୍ଦ୍ର କରି ଗୁଳି କାଣ୍ଡ ଘଟିଛି ବୋଲି ପୋଲିସ ସନ୍ଦେହ କରୁଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ୪ ଜଣ ଦୁବୃର୍ତ୍ତ ଗୁଳି ମାଡ କରି ସେଠାରୁ ଫେରାର ହୋଇ ଯାଇଛନ୍ତି ।
ଅନ୍ୟପଟେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ହିଲପାଟଣାରେ ଜଣେ କ୍ଷୀର ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା କରାଯାଇଛି । ଲୁଟ ଉଦ୍ୟଶରେ ବ୍ୟବସାୟୀଙ୍କ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ହିଲପାଟଣାର ଏମ୍ ଏଭି ସ୍କୁଲ ସାମ୍ନାରେ ରହୁଥିବା କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ଗତକାଲି ରାତିରେ ନିଜର ହେରିଟେଜ୍ ମିଲ୍କ ଗୋଦାମ ଘରେ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପଛ ଗେଟ୍ ବାଟ ଦେଇ ଗୋଦାମ ଭିତରେ ପଶି ଲମ୍ବୋଦର ମୁନିଙ୍କ ଗୋଡ଼ ବାନ୍ଧି ତଣ୍ଟି ଚିପି ମାରି ଦେଇଥିବା କୁହାଯାଉଛି। ଦୁର୍ବୃତ୍ତମାନେ ତାଙ୍କ ବେକରେ ଥିବା ୪ ଲକ୍ଷ ଟଙ୍କାର ସୁନା ଚେନ୍ ଲୁଟି ନେଇଥିବା ଜଣାଯାଇଛି। ଏହା ସହ ଦୁର୍ବୃତ୍ତମାନେ ସିସିଟିଭି ଫୁଟେଜ୍ ଥିବା ହାର୍ଡ ଡିସ୍କକୁ ଚୋରି କରି ନେଇ ଯାଇଛନ୍ତି। ଘଟଣା ସଂପର୍କରେ ଖବର ପାଇ ଘଟଣା ସ୍ଥଳରେ ଗୋଷାଣୀ ନୂଆଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।