ସମ୍ବଲପୁର ( ଏଟିଆର ବ୍ୟୁରୋ): ଖୋଲିଲା ବହୁ ପ୍ରତିକ୍ଷିତ ହୀରାକୁଦ ଜଳଭଣ୍ଡାର । ମହାନଦୀ ଉପରମୁଣ୍ଡରେ ଲଗାଣ ବର୍ଷା ଲାଗି ରହିଥିବାରୁ ହୀରା କୁଦରେ ଜଳସସ୍ତର ବଢିବାରେ ଲାଗିଛି । ତେବେ ଏହି ଅବସରରେ ଆଜି ପୂଜାର୍ଚ୍ଚନା କରି ୭ ନଂ ଗେଟ ବାଟ ଦେଇ ପ୍ରଥମ ବନ୍ୟାଜଳ ନିସ୍କାସିତ ହୋଇଛି । ତେବେ ଆଜି କିଛି ବର୍ଷାଜଳ ନିସ୍କାସିତ ହେବା ପରେ ପୁଣି ଗେଟ ବନ୍ଦ କରି ଦିଆଯିବ ।
ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୬.୮୭ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୧ ଲକ୍ଷ ୧୨ ହଜାର ୨୦୧ କ୍ୟୁସେକ୍ ଜଳ ପ୍ରବେସ କରୁଥିବା ବେଳେ, ପ୍ରତି ସେକେଣ୍ଡରେ ୧୬ହଜାର ୮୬୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ସେହିଭଳି ବନ୍ୟାଜଳ ନିସ୍କାସନ ପ୍ରଭାବରେ ଉପକୂଳ ଓଡିଶାର କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି । ୧୫ତାରିଖ ସକାଳ ସୁଦ୍ଧା ମହାନଦୀରେ ୧୧ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ।
ଏଥିଲାଗି କଟକ, ଜଗତସିଂହପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଲର୍ଟ କରାଯାଇଛି । ଏସବୁ ଜିଲ୍ଲାଗୁଡ଼ିକରେ ନଦୀବନ୍ଧ ଗୁଡ଼ିକର ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆଜି ନିସ୍କାସିତ ହୋଇଛି ।
ଅନ୍ୟପଟେ ଆଜି କୋରାପୁଟ, ରାୟଗଡା, କନ୍ଧମ।ଳ, ନବରଙ୍ଗପୁର, ଅନୁଗୁଳ , ସୋନପୁର, ଦେଓଗଡ, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ ଓ ବରଗଡ ଜିଲ୍ଲାକୁ ଆଜି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ, ବଲାଙ୍ଗୀର , କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଅନୁମାନ କରାଯାଇଛି ।