ଖୋର୍ଦ୍ଧା (ଏଟିଆର ବ୍ୟୁରୋ): ଖୋର୍ଦ୍ଧାରେ ଉଦଘାଟିତ ହେଲା ପ୍ରଥମ ମହିଳା ଫୌଜଦାରୀ ଓ ଦେୱାନୀ କୋର୍ଟ । ଆଜି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ସଂଜୟ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କୋର୍ଟର ଉଦଘାଟନ କରିଛନ୍ତି । ଏଥିସହ ଜିଲ୍ଲା ଜର୍ଜ ସତ୍ୟନାରାୟଣ ମିଶ୍ର , ହାଇକୋର୍ଟର ଭିଜିଲାନ୍ସ ରେଜିଷ୍ଟାର ଲଳିତ କୁମାର ଦାସ ଅତିଥି ଭାବେ ଯୋଗ ଦେଇଥିଲେ । ଖୋର୍ଦ୍ଧା ବାର ଆସୋସିଏସନର ସଭାପତି ପ୍ରାଣକୃଷ୍ଣ ଦଳବେହେରା ବୈଠକରେ ଅଧ୍ୟକ୍ଷତା କରିଥିଲେ ।
ସେହିଭଳି ସଂପାଦକ ପ୍ରଦୀପ କୁମାର ଦାସ କୋର୍ଟ ସମ୍ପର୍କରେ ବିବରଣୀ ପାଠ କରିଥିଲେ । ବାର ଆସୋସିଏସନର ସଭାପତି ଦଳବେହେରା ପୋକସୋ କୋର୍ଟ, ପୂର୍ଣ୍ଣକାଳୀନ ସିଜେଏମ କୋର୍ଟ, ଜିଲ୍ଲା ଜଜ୍ କୋର୍ଟ,ଭିଜିଲ୍ଲାସ କୋର୍ଟ ଓ କିଶୋର କୋର୍ଟର ଆବଶ୍ୟକତା ସମ୍ପର୍କରେ ଅତିଥି ମାନଙ୍କୁ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଜଷ୍ଟିସ ମିଶ୍ର ଏହି କୋର୍ଟ ସ୍ଥାପନ ହେବା ଫଳରେ ନ୍ୟାୟ ପ୍ରଦାନର ପ୍ରଣାଳୀ ତ୍ୱରାନିତ ହେବା ସହ ବ୍ୟବସ୍ଥା ଶକ୍ତିଶାଳୀ ହେବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁଗ୍ମ ସମ୍ପାଦକ ବିକ୍ରମ କେଶରୀ ଛୁଆଳସିଂହ, ପ୍ରଦୀପ୍ତ ରାମ ପରିଚାଳନା କରିଥିବା ବେଳେ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।