ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଓଡିଆ ଅବସରପ୍ରାପ୍ତ ସେନା ଅଧିକାରୀ ମେଜର ଜେନେରାଲ ବି.କେ. ମହାପାତ୍ରଙ୍କ ଆଜି ପରଲୋକ ହୋଇଛି । ଭୁବନେଶ୍ୱରସ୍ଥିତ ଏକ ଡାକ୍ତଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।
ପ୍ରଥମ ଓଡିଆ ଅଫିସର ଭାବେ ସେ ସେନାବାହିନୀରେ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ପଦବିରେ କାମ କରିଥିଲେ । ୧୯୬୧ରେ ଗୋଆ ଅପରେସନରେ ସାମିଲ ହୋଇଥିଲେ । ଏହା ସହ ସେ ୧୯୬୨ ରେ ଚୀନ୍ ଯୁଦ୍ଧ ଓ ୧୯୬୫ ଓ ୧୯୭୧ ରେ ଭାରତ ଓ ପାକିସ୍ତାନ ଯୁଦ୍ଧରେ ଗୁରତ୍ୱପୂର୍ଣ୍ଣ ଭୂମିକାରେ ଥିଲେ ।
ଭାରତୀୟ ସେନାର ପ୍ରଥମ ଟ୍ୟାଙ୍କ୍ ସ୍ପେସାଲିଷ୍ଟ୍ ଭାବେ ବିଶେଷ ଦକ୍ଷତା ପ୍ରତିପାଦନ କରିଥିବାରୁ ସେନାବାହିନୀରେ ତାଙ୍କୁ ‘ଟ୍ୟାଙ୍କ୍ ମ୍ୟାନ୍’ ବୋଲି ସମ୍ବୋଧନ କରାଯାଉଥିଲା।ରାଷ୍ଟ୍ରପତିଙ୍କ ଦ୍ବାରା ସେ ଆହ୍ଲାବାଦ୍ ବିଶ୍ବବିଦ୍ୟାଳୟ ନିର୍ବାହୀ ପରିଷଦକୁ ମନୋନୀତ ହୋଇଥିଲେ।
ଚାକିରିରୁ ଅବସରପ୍ରାପ୍ତ ନେବା ପରେ ସେ ୨୫ ବର୍ଷରୁ ଅଧିକ ସମୟ ଧରି ସମାଜସେବାରେ ନିୟୋଜିତ ଥିଲେ । ରୋଟାରି ଅନୁଷ୍ଠାନ , ଦାତବ୍ୟ ଚିକିତ୍ସାଳୟ , ଜରାଶ୍ରମ , ଦୃଷ୍ଟହୀନ ଆଶ୍ରମ ଓ ଅନ୍ୟାନ୍ୟ ଅନୁଷ୍ଠାନ ସହ ସେ ଜଡିତ ଥିଲେ ।ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।