ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୋଲିସକର୍ମୀଙ୍କୁ ଫିଟନେସ୍ ଟାର୍ଗେଟ ଦେଲେ କମିଶନର । ଏଣିକି ନିଜକୁ ଫିଟ୍ ନରଖିଲେ ବେତନ ବୃଦ୍ଧି ନକରାଯିବା ସହ ସ୍ୱାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର କରାଯାଇପାରେ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
କମିଶନରଙ୍କର ନିର୍ଦ୍ଦେଶ ଅନୁଯାୟୀ, ଗୋଟେ ସପ୍ତାହ ମଧ୍ୟରେ ସମସ୍ତ ପୋଲିସ କର୍ମଚାରୀଙ୍କ ଓଜନ ଓ ଉଚ୍ଚତା ମପା ଯିବ । ସେହିପରି ସେମାନଙ୍କର ବଡି ମାସ୍ ଇଣ୍ଡେକ୍ସ ଲିଖିତ ଭାବେ ଦିଆଯିବ । ଏହାସହିତ ଉଚ୍ଚତା ଏବଂ ବୟସ ଅନୁସାରେ କେତେ ଓଜନ ରହିବା ଉଚିତ୍ ସେକଥା କୁହାଯିବ । ୧୯ ରୁ ୨୫ ଯାଏଁ ବିଏମଆଇ ସ୍ୱାଭାବିକ ନଚେତ୍ ୩୦ ହେଲେ ମେଦବହୁଳତା ଭାବେ ଧରାଯିବ । ଜୁଲାଇ ୩୦ ସୁଦ୍ଧା ଓଜନ ବିଏମଆଇ (ବଡି ମାସ୍ ଇଣ୍ଡେକ୍ସ) କାର୍ଯ୍ୟ ଶେଷ ହେବ ।
ପୁଣି ୩ ମାସ ପରେ ସମସ୍ତଙ୍କର ଓଜନ ପରଖାଯିବ । ଯାହାର ବିଏମଆଇ ୩୦ ରୁ ଅଧିକ ଥିବ ସେମାନେ ବାଧ୍ୟତାମୂଳକ ବ୍ୟାୟାମ କରିବେ । ଏହାସହିତ ସେମାନେ ୬ ସପ୍ତାହ ରିଫ୍ରେସର କୋର୍ସ କରିବେ । ଯେଉଁ ପୋଲିସକର୍ମୀ ଏହି ଆଦେଶକୁ ଗୁରୁତର ସହ ଗ୍ରହଣ କରିବେନି ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ବେତନ ବୃଦ୍ଧି ନକରାଯିବା ସହିତ ବାଧ୍ୟତାମୂଳକ ଅବସର ମଧ୍ୟ ଦିଆଯାଇପାରେ ।