ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଗତକିଛି ଦିନ ହେବ କ୍ରମାଗତ ଭାବେ ରାଜଧାନୀ ଭୁବନେଶ୍ୱରରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ହୋମ୍ କ୍ୱାରାଣ୍ଟାଇନରୁ ହୋଇଥିବା ବେଳେ ୨ ଜଣ ସ୍ଥାନିୟ ବାସିନ୍ଦା । ଏହାକୁ ମିଶାଇ ରାଜଧାନୀ ଭୁବନେଶ୍ୱରରେ ମୋଟ ୧୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆସନ୍ତୁ ଜାଣିବା ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ବିଷୟରେ
• ଆଜି ଚିନ୍ତାମଣିଶ୍ୱର ନିକଟରେ ଥିବା ବୁଦେ୍ଧଶ୍ୱରି ମନ୍ଦିର ନିକଟରୁ ଜଣେ ୩୧ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ ଦିଲ୍ଲୀରୁ ଫେରି ହୋମ୍ କ୍ୱରାଣ୍ଟାଇନରେ ରହିଥିଲେ ।
• ପଟିଆରୁ ଜଣେ ୪୧ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ହୋଇଛନ୍ତି । ସେ ସାଉଦି ଆରବରୁ ଫେରି ହୋମ୍ କ୍ୱରାଣ୍ଟାଇନରେ ରହିଥିଲେ ।
• ସେହିପରି ଖଣ୍ଡଗିରି କେଲଥିଆ ଅଞ୍ଚଳରୁ ଜଣେ ୨୬ ବର୍ଷୀୟ ମହିଳା କରୋନା ସଂକ୍ରାମିତ ହୋଇଛନ୍ତି । ସେ ପଶ୍ଚିମବଙ୍ଗରୁ ଫେରି ହୋମ୍ କ୍ୱରାଣ୍ଟାଇନରେ ରହିଥିଲେ ।
• ନୟାପଲ୍ଲୀ ବେହେରା ସାହିରୁ ଜଣେ ୩୭ ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮ ତାରିଖରେ ସେ ବାହାର ଜିଲ୍ଲାରୁ ଫେରିଥିଲେ ।
• ସେହିଭଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ଜଣେ ୨୮ ବର୍ଷୀୟ ମହିଳା କରୋନା ସଂକ୍ରମିତ ହୋଇଛନ୍ତି । ନିକଟରେ ୧୧ ତାରିଖରେ ସେ ବାହାରା ଜିଲ୍ଲାରୁ ଫେରିଥିଲେ ।
ସୂଚନାଯୋଗ୍ୟ ଆଜି ରାଜ୍ୟରେ ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୦୫୫କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୮ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୮ ଜଣ ସ୍ଥାନୀୟ ବାସିନ୍ଦା ।