ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ପାଇଁ ଦେଶବ୍ୟାପି ଜାରି ରହିଛି ଲକ୍ ଡାଉନ୍ । ଏବେ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଚାଲିଛି । ପୂର୍ବ ପର୍ଯ୍ୟାୟ ଲକ୍ ଡାଇନ୍ ଅପେକ୍ଷା ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ରେ କଟକଣାରେ କିଛିଟା କୋହଳ କରାଯାଇଛି । ସ୍ଥିତି ଧିରେ ଧିରେ ସ୍ୱଭାବିକ ହେବାକୁ ଲାଗୁଛି । ଏହାରି ମଧ୍ୟରେ ବନ୍ଦ ହୋଇ ରହିଥିବା ଘରୋଇ ବିମାନ ସେବା ଆଜିଠୁ ଆରମ୍ଭ ହେଉଛି । ସେହିଅନୁଯାୟୀ ଭୁବନେଶ୍ୱର ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ୧୦ଟି ବିମାନ ଆସିବ ଆଉ ୧୦ ଟି ବିମାନ ଯିବ ବୋଲି ସୂଚନା ରହିଛି ।
ଏନେଇ ବିମାନବନ୍ଦର ସକାଳ ୬ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ । ମାତ୍ର କେବଳ ଉଡାଣ ସମୟ ସକାଳ ୮ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ରହିଛି । ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରରୁ ୭ଟି ସହରକୁ ତଥା କୋଲକାତା, ଚେନ୍ନାଇ, ଦିଲ୍ଲୀ, ଝାରସୁଗୁଡା, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ମୁମ୍ବାଇକୁ ବିମାନ ଉଡାଣ କରିବାକୁ ନିଷ୍ପତି ନିଆଯାଇଛି ।
ଆଜିଠାରୁ ବିମାନ ଉଡାଣ ସ୍ୱାଭାବିକ କରିବା ଲାଗି ପୂର୍ବରୁ ମକ୍ ଡ୍ରିଲ କରାଯାଇଥିଲା । ଏହାସହିତ ବିମାନବନ୍ଦରରେ ଟଚ୍ ଫ୍ରି ସେବା ଯୋଗାଇ ଦିଆଯିବ । ଏହାକୁ ସଫଳ କରିବା ପାଇଁ ବିମାନବନ୍ଦରରେ ଅଭ୍ୟାସ କରାଯାଇଥିଲା । ଅନ୍ୟପଟେ ବିମାନବନ୍ଦର ଭିତରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଗୋଲ ଚିହ୍ନଟ କରାଯାଇଛି । ଏହାସହିତ ଯାତ୍ରୀଙ୍କ ଉର୍ଦ୍ଦିଷ୍ଟ ସିଟ୍ ଏବଂ ଅନ୍ୟ ସ୍ଥାନଗୁଡିକୁ ସାନିଟାଇଜ୍ କରାଯାଇଛି ।