ଝାରସୁଗୁଡା (ଏଟିଆର ବ୍ୟୁରୋ); ଝାରସୁଗୁଡା ବାସୀଙ୍କ ପାଇଁ ଖୁସି ଖବର। ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ବିମାନ ସେବା । ଏଥର ଉଡିବ ସ୍ପାଇସ୍ଜେଟ୍ ବିମାନ । ଏନେଇ ଆଜି ସ୍ପାଇସ୍ ଜେଟ୍ର ଏକ ୮ ଜଣିଆ ଟିମ୍ ଆସି ନିରୀକ୍ଷଣ କରିଛନ୍ତି । ବିଶେଷ ଭାବେ କିଭଳି ସୁରକ୍ଷା ବ୍ୟବସ୍ଥା ରହିଛି ସେନେଇ ଅନୁଧ୍ୟାନ କରିଛି ଟିମ୍ । ଏହି ମାର୍ଚ୍ଚ ୩୧ ତାରିଖରୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଲୋକେ ସେବା ପାଇ ପାରିବେ ବୋଲି ଝାରସୁଗୁଡ଼ାବିମାନ ବନ୍ଦରର ନିର୍ଦ୍ଦେଶକ କହିଛନ୍ତି ।
ବିମାନ ବନ୍ଦର ପରିଦର୍ଶନ ପରେ ଏହି ଟିମ୍ରେ ଥିବା ପଦାଧିକାରୀମାନେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏଠାରୁ ବିମାନ ସେବା କରିବେ ବୋଲି ପ୍ରକାଶ କରିଛନ୍ତି। ସ୍ପାଇସ୍ ଜେଟ ବିମାନ ସେବା ପାଇଁ ଦେଶର ତିନୋଟି ବଡ଼ ସହର ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତା ମଧ୍ୟରେ ବିମାନ ଚଳାଚଳ ପାଇଁ ବିମାନ ଚଳାଚଳ ମନ୍ତ୍ରାଳୟ ଠାରୁ ଅନୁମତି ପାଇ ସାରିଛି।
ଝାରସୁଗୁଡାରୁ ଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦକୁ ଏବେ ସ୍ପାଇସ୍ ଜେଟ୍ ବିମାନ ଉଡିବ । ଝାରସୁଗୁଡା ବିମାନ ବନ୍ଦରର ସୁରକ୍ଷା ଏବଂ ଭିତ୍ତିଭୂମିର ଜାଞ୍ଚ କରିବା ପରେ ଏହି ସୂଚନା ଦିଆଯାଇଛି । ସ୍ପାଇସ୍ ଜେଟ୍ର ୮ଜଣିଆ ଟିମ୍ ବିମାନ ବନ୍ଦର ପରିଦର୍ଶନ କରିଥିଲେ । ପରେ ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍ କେ ଚୌହାନ ମାର୍ଚ୍ଚ ୩୧ରୁ ନିୟମିତ ଭାବେ ବିମାନ ଉଡାଣ ନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି । ସୂଚନା ଥାଉ କି, କେନ୍ଦ୍ର ସରକାରଙ୍କ ଉଡାନ୍ ୩ଯୋଜନାରେଝାରସୁଗୁଡାବାସୀଙ୍କ ପାଇଁ ଏହି କମର୍ସିଆଲ ବିମାନ ଚଳାଚଳ ବ୍ୟବସ୍ଥା ଆରମ୍ଭ କରାଯାଇଛି ।
ଗତ ସେପ୍ଟେମ୍ବର ୨୨ରେ ଝାରସୁଗୁଡ଼ା ବିମାନବନ୍ଦରକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ କେଇଟା ଉଡ଼ାଣ ପରେ ଏଠାରୁ କୌଣସି କାରଣ ନଦର୍ଶାଇ ବିମାନ ସେବା ବନ୍ଦ ରହିଛି । ବିମାନବନ୍ଦର କାର୍ଯ୍ୟକ୍ଷମ କରିବା ଓ ଉଡ଼ାଣ ପାଇଁ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେଇଥିଲେ। ଏପରିକି ବାଣିଜ୍ୟିକ ବିମାନ ଉଡ଼ାଣ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ପୂର୍ବରୁ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପତ୍ର ଲେଖି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ।