ମାଲକାନଗିରି (ଏଟିଆର ବ୍ୟୁରୋ): ଲଗାଣ ବର୍ଷା ଯୋଗୁଁ ମାଲକାନାଗିରି ଅଞ୍ଚଳ ସମ୍ପୂର୍ଣ୍ଣ ବନ୍ୟା ଜଳ ଘେରରେ ରହିଥିଲା । ନଦୀରେ ଜଳସ୍ତର ବଢିବା ସହିତ ପୋଲ ଏବଂ ରାସ୍ତାଘାଟ ଉପରେ ପାଣି ଚାଲୁଥିଲା । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା । ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ମାତ୍ର ଏବେ ବନ୍ୟା ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଛି । ନଦୀରୁ ଜଳସ୍ତର ଧୀରେ ଧୀରେ କମିବା ପରେ ପୋଲ ଏବଂ ରାସ୍ତାଘାଟରୁ ପାଣି ଛାଡି ଯାଇଛି ।
ଯାହାଫଳରେ ଲୋକଙ୍କୁ ଟିକେ ଆଶ୍ୱସ୍ତି ମିଳିଛି । ଲୋକେ ଏବେ ଘରୁ ବାହାରି ବାହାରକୁ ଯାତାୟତ କରିପାରୁଛନ୍ତି । ପୂର୍ବରୁ ବନ୍ୟାଜଳ ମାଡି ଯିବା ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିଲା । ଗାଡି ଚଳାଚଳ ଠପ ହୋଇଯାଇଥିଲା । କିନ୍ତୁ ଏବେ ସ୍ଥିତି ସ୍ୱାଭାବିକ ହେବାରୁ ଯାନବାହନ ଚଳାଚଳ ଆରମ୍ଭ ହୋଇଛି । ଏହାସହିତ ତଳିଆ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଠାଣିଆ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।
ସେପଟେ ଏବେ ବି ଅନେକ ଲୋକ ପାଣି ଘେରରେ ଫସି ରହିଛନ୍ତି । ଏହାସହିତ ଅନେକ ଘର ଭାଙ୍ଗିବା ସହିତ ଫସଲ କିଆରିରେ ପାଣି ମାଡି ସମସ୍ତ ଫସଲ ନଷ୍ଟ ହୋଇଛି । ସେହିପରି ବନ୍ୟାଜଳକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।