ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟକୁ ପୁଣି ଫେରିଲା ଶୀତ ।ସକାଳୁ ସକାଳୁ କାଲୁଆ ପବନ ବହିବା ସାଙ୍ଗକୁ କିଛି କିଛି ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳୁଛି । ଯାହା ଫଳରେ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି । ତେବେ ଆସନ୍ତା ୨ ଦିନ ଏଭଳି ଘନ କୁହୁଡି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଜଗତସଂହପୁର , ପୁରୀ, ଖୋର୍ଦ୍ଧା , ନୟାଗଡ, ବୌଦ୍ଧ, କନ୍ଧମାଳ, ଓ ଗଞ୍ଜାମରେ ଘନ କୁହୁଡି ନେଇ ଜିଲ୍ଲାଗୁଡିକୁ ସତର୍କ ଜାରି କରିଛନ୍ତି ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟା ମଧ୍ୟରେ ୯ ଟି ଜିଲ୍ଲାର ତାପମାତ୍ରା ୧୧ ଡିଗ୍ରୀ ତଳେ ରହିଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ଆଭ୍ୟନ୍ତରୀଣ ଓଡିଶାରେ ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ ବଢିବ । ଏହାସହ ଉପକୂଳ ଓଡିଶାରେ ୨ ଡିଗ୍ରୀ ସେଲସିୟସ ତାପମାତ୍ରା ବଢିବ । ସେହିପରି କଟକ ,ପୁରୀ, କେନ୍ଦ୍ରାପଡା, ଭଦ୍ରକ , କୋରାପୁଟ, ମାଲକାନଗିରି , ଜିଲ୍ଲାରେ ସ୍ୱଳ୍ପ ରୁ ମଧ୍ୟମ ଧରଣର କୁହୁଡି ଜାରି ରହିବ । ଫେବ୍ରୁଆରୀ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ବଢିବା ଓ କମିବା ଲାଗି ରହିବ ବୋଲି କହିଛନ୍ତି ।