ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଚତୁର୍ଥ ଦିବସରେ ବିଧାନସଭାର ଶୀତକାଳୀନ ଅଧିବେଶନ । ତିନିଦିନ ହେବ ରାଜ୍ୟ ସରକାରଙ୍କୁ ସ୍ମିତାରାଣୀଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ପ୍ରଶ୍ନ ପଚାରି ଘାଇଲା କରୁଛନ୍ତି ବିରୋଧୀ ଦଳ । ଆଜି ମଧ୍ୟ ଚତୁର୍ଥ ଦିବସରେ ଗୃହ ଆରମ୍ଭରୁ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ହୋହାଲ୍ଲା ଆରମ୍ଭ କରିଦେଇଥିଲେ ବିରୋଧୀ ବିଜେପି ଦଳର ସଦସ୍ୟମାନେ । ଗତକାଲି ବିଜେପି ସଦସ୍ୟମାନେ ସ୍ମିତାରାଣୀ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ଦାବୀ କରିବା ସହ ମୁହଁରେ କଳାପଟି ପିନ୍ଧି ଗୃହ ମଧ୍ୟରେ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଥିଲେ । ଆଜି ମଧ୍ୟ ବିଜେପି ଦଳର ଛିଡା ହୋଇ ପ୍ରତିବାଦ କରିବାରୁ ସେମାନଙ୍କୁ ବସିବାକୁ କୁହାଯାଇଥିଲା କିନ୍ତୁ ଏହି ବାବଦରେ ଆଲୋଚନା କରିବାକୁ କହିବା ପରେ ବାଚସ୍ପତି ସୂର୍ଯ୍ୟନାରାୟଣପାତ୍ର ଅନୁମତି ନଦେବାରୁ ବିଜେପି ସଦସ୍ୟମାନେ କକ୍ଷ ତ୍ୟାଗ କରିବା ସହ ଗାନ୍ଧିଙ୍କ ମୂର୍ତ୍ତି ତଳେ କଳା ଗାମୁଛା ପକାଇ ଧାରଣାରେ ବସିଥିଲେ ।
ଅନ୍ୟପଟେ କଂଗ୍ରେସ ନିଜର ପ୍ରସଙ୍ଗ ବଦଳାଇ ଥିଲା । ଗତକାଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ମୁଦ୍ରିତ ଏକ ପୁସ୍ତକରେ ତାଙ୍କର ମୃତ୍ୟୁ ସମ୍ପର୍କରେ ଥିବା ଭୁଲ ତଥ୍ୟ ଦେଇଥିବାକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଥିଲେ । ଗୃହର ଉଦବେଗକୁ ଦେଖି ସରକାରଙ୍କ ସ୍ପଷ୍ଟି କରଣ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ବାବଦରେ ନିଜର ବିବୃତି ରଖିଥିଲେ । ମନ୍ତ୍ରୀ ସମୀର ଦାଶ କହିଛନ୍ତି ଏହି ତ୍ରୁଟି ଅନିଚ୍ଛାକୃତ । ଘଟଣାକୁ ବିଭ୍ରାନ୍ତ ଓ ପରିବର୍ତ୍ତନ କରି ଦର୍ଶାଇବାର ଉଦ୍ଦେଶ୍ୟ ନଥିଲା । ଏହି ତୃଟିକୁ ସଂଶୋଧନ କରାଯାଇ ପୁଣିଥରେ ଲିଫଲେଟ ବଣ୍ଟାଯିବ । ସେହି ଲିଫଲେଟ ପ୍ରସ୍ତୁତରେ ସମ୍ପୃକ୍ତ କର୍ମଚାରୀଙ୍କୁ କାର୍ଯ୍ୟରୁ ନିବୃତ କରାଯିବା ସହ ଘଟଣାରେ ୨ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ମନ୍ତ୍ରୀ ନିଜ ବିବୃତିରେ କହିଥିଲେ ।