ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତ କିଛି ଦିନ ତଳେ ସୁନ୍ଦରଗଡରେ ଜଣେ ନକଲି ଡାକ୍ତରଙ୍କ ଖବର ପ୍ରକାଶ ପାଇଥିଲା । ଯାହା ମନରୁ ନ ଲିଭୁଣୁ ପୁଣି ଆଉ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜକୁ ଜଣେ ସରକାରୀ ଅଫିସର କହି ରାଜଧାନୀର ବହୁ ବଡ ଦୋକାନୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଠକେଇ କରିଛନ୍ତି । ତେବେ ଗତକାଲି ସେହି ନକଲି ସରକାରୀ ଅଫିସରକୁ ପୋଲିସର ଏକ ସ୍ପେସାଲ ସ୍କ୍ୱାଡ ଗିରଫ କରିବାରେ ସଫଳ ହୋଇଛି । ଏହି କରିତକର୍ମା ବାବୁଙ୍କ ନାମ ସୌମ୍ୟଜିତ ତ୍ରୀପାଠୀ ବୋଲି ଜଣା ପଡିଛି । ସେ ଗତ କିଛିଦିନ ହେଲା କଳିଙ୍ଗ ନଗର କେ ସେଭେନ ଅଞ୍ଚଳରେ ଭଡାରେ ରହି ଆସୁଥିଲେ । ସୂଚନା ଅନୁସାରେ ଏହି ବାବୁ ଜଣଙ୍କ ଦୀର୍ଘଦିନ ହେଲା ନିଜକୁ ଜଣେ ସରକାରୀ ବାବୁ ବୋଲି ପରିଚୟ ଦେଇ ଆସୁଥିଲେ । କେବଳ ସେତିକି ନୁହେଁ ବାବୁ ଜଣଙ୍କ ନିଜକୁ ବିଶ୍ୱର ସବୁଠାରୁ ବଡ ଇଣ୍ଟରନେଟ ସାଇଟ ଗୁଗଲର ଓଡିଶା ହେଡ ବୋଲି ମଧ୍ୟ କିଛି ଲୋକଙ୍କୁ ପରିଚୟ ଦେଉଥିବା ଜଣା ପଡିଛି । ଗୁଗଲ ହେଡ ବୋଲି ନିଜର ପୁସିଙ୍ଗ କାର୍ଡ ମଧ୍ୟ ତିଆରି କରିଥିଲେ । ଏମିତି ଫୋନରେ ନିଜକୁ ପରିଚୟ ଦେଇ ବିଭିନ୍ନ ବଡବଡ ଇଲେକ୍ଟ୍ରୋନିକ ଦୋକାନରୁ କୋଟେସନ ମଗାଉଥିଲେ ।
ଗତ ଦୁଇତିନି ଦିନ ତଳେ ଏହି ବାବୁ ଜଣଙ୍କ ଭୁବନେଶ୍ୱର ବିଏମସି ଭବାନୀ ମଲରେ ଥିବା ମୋବାଇଲ ସୋରୁମ ଆଇଟିସିଟିକୁ ଫୋନ କରିଥିଲେ । ନିଜକୁ କମର୍ସିଆଲ ଅଫିସର ପରିଚୟ ଦେଇ କୋଟେସନ ମାଗିଥିଲେ । ପୁଣି କୋଟେସନ୍ ଦେଖିସାରିବା ପରେ ବିଲିଂ କରି ଅଲଗା ଅଲଗା ସ୍ଥାନକୁ ପଠାଇବା ପାଇଁ କହିଥିଲେ । ଏହି ବିଲିଂ ସେ ଯାଜପୁର ଜିଲ୍ଲା କୃଷିବିଭାଗ ନାମରେ କରିବାକୁ ନିର୍ଦେଶ ଦେଇଥିଲେ । ବିଲିଂ ହୋଇ ଜିନିଷ ନେଇ ସାରିବା ପରେ ଆଉ ଧରା ଛୁଆଁ ଦେଇ ନଥିଲେ ବାବୁ । ଫୋନ କରିବାରୁ ନିଜକୁ କମର୍ସିଆଲ ଅଫିସର କହି ଆଇଟି ସିଟିର ମାଲିକ ନିକୁଞ୍ଜ ଖେମାନୀଙ୍କୁ ଧମକ ଦେବାକୁ ମଧ୍ୟ ପଛାଇ ନଥିଲେ ।
ଏନେଇ ନିକୁଞ୍ଜ ଖେମାନୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତତକ୍ଷଣାତ ଆକ୍ସନ ମୁଡକୁ ଆସିଥିଲା । ନକଲି ସରକାରୀ ବାବୁ ଜଣଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଏନେଇ ଗତକାଲି ଏଟିଆର ନ୍ୟୁଜରେ ଖବର ମଧ୍ୟ ପ୍ରକାଶ ପାଇଥିଲା । ସବୁଠାରୁ ବଡ କଥା ହେଲା ଏହି କରିତ କର୍ମା ବାବୁ ଜଣଙ୍କ ପୋଲିସକୁ ବି ଫୋନରେ ଲଣ୍ଠଣ ଦେଖାଇଥିଲେ । ଏବେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଏହା ତାଙ୍କର ପ୍ରଥମ କାରବାର ନୁହେଁ ପୂର୍ବରୁ ଏମିତି ଆହୁରି ବଡବଡ ଦୋକାନୀଙ୍କୁ ମଧ୍ୟ ସେ ଚୂନ ଲଗାଇଛନ୍ତି । ପୋଲିସ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଜବତ କରିଛି ।