ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବୟସ ହେଲା ପରେ ବାପା ମାଙ୍କ ଅଦରକାରୀ ଭଳି ମନେ କରନ୍ତି ପୁଅ ବୋହୂ । ବୟସର ଶେଷ ସମୟରେ କିଛି କାମ କରି ପାରୁ ନଥିବାରୁ ଅଯଥା ଖାଇବା ପିଇବା ନଷ୍ଟ ହେଉଥିବା ଭାବି ବାପା ମାଙ୍କୁ ଅଧା ବାଟରେ ହାତ ଛାଡି ଦିଅନ୍ତି ନିଷ୍ଠୁର ପୁଅ ବୋହୂ । ତେବେ ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଜଣେ ବୃଦ୍ଧ ବାପାଙ୍କୁ ରାସ୍ତାରେ ଛାଡି ପଳେଇଛନ୍ତି ଅବିବେକୀ ପୁଅ ଏବଂ ବୋହୂ । ଅସହାୟ ବୃଦ୍ଧ ଜଣକ ହେଲେ ରାଜ କିଶୋର ମହାନ୍ତି । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ବୋଲି ଜଣା ପଡିଛି । ତାଙ୍କ ଘର ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ କଣ୍ଡମଳପୁର ଗାଁରେ । ତାଙ୍କ ବୟସ ପାଖାପାଖି ୯୫ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ତେବେ ରାତିରେ ତାଙ୍କୁ କିଛି ସ୍ୱେଛାସେବୀ ଉଦ୍ଧାର କରି ରାତ୍ର ଆଶ୍ରୟ ସ୍ଥଳକୁ ନେଇଥିଲେ ।
ରିପୋର୍ଟ ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ କଳ୍ପନା ଛକରେ ବୃଦ୍ଧ ଲୋକ ବସିଥିବା ଦେଖିବା ପରେ ତାଙ୍କୁ ସମସ୍ତେ ପଚାରିଥିଲେ । ପରେ ଜଣା ପଡିଥିଲା କି ତାଙ୍କ ପୁଅ ଅନାମ ପ୍ରସାଦ ମହାନ୍ତି (କୁନା) ଏବଂ ବୋହୂ ତାଙ୍କୁ ଭୁବନେଶ୍ୱର ବୁଲାଇ ଆଣିବା କହି କଳ୍ପନା ଛକରେ ଛାଡି ପଳାଇଥିଲେ । ଏଣୁ ଅସହାୟ ହୋଇ ସେଠାରେ ବସିଥିବା କହିଥିଲେ ରାଜକିଶୋର । ଏହା ପରେ ସ୍ଥାନୀୟ କର୍ପୋରେଟର ଅମରେଶ ଜେନା ଏବଂ ତାଙ୍କର କିଛି ସହଯୋଗୀ ସମାଜସେବୀ ରାଜକିଶୋରଙ୍କୁ ଉଦ୍ଧାର କରି ରାତ୍ର ଆଶ୍ରୟସ୍ଥଳକୁ ନେଇ ସେଠାରେ ଖାଇବା ପିଇବା ବ୍ୟବସ୍ଥା କରିଥିଲେ । ଏବଂ ସେଠାରେ ରାତ୍ରି ଯାପନ କରିବାର ସୁବିଧା କରାଇ ଦେଇଥିଲେ । ତେବେ ପୁଅ ବୋହୂଙ୍କ ନାଁରେ କେସ ଦେବା କଥା କହିବା ପରେ ମନା କରିଥିଲେ ସ୍ୱାଧୀନତା ସଂଗ୍ରାମୀ ରାଜ କିଶୋର । ସେ କହିଥିଲେ ସେମାନେ ସିନା ଅବିବେକି ହୋଇ ମୋତେ ଛାଡି ଚାଲିଗଲେ । କିନ୍ତୁ ସେମାନେ ବା ମୋ ପିଲା । ମୁଁ ତାଙ୍କ ନାଁରେ କିପରି ଏତଲା ଦେବି । ଯାହାକୁ ଶୁଣିବା ପରେ ଚକିତ ହୋଇ ଯାଇଥିଲେ ଲୋକ ।
ରାଜ କିଶୋରଙ୍କୁ ମିଳୁଥିବା ସ୍ୱାଧୀନତା ସଂଗ୍ରାମୀ ଭତ୍ତାକୁ ମଧ୍ୟ ପୁଅ ବୋହୂ ଛଡାଇ ନେଉଥିଲେ । ମଝିରେ ମଝିରେ ତାଙ୍କୁ ମାଡ ମଧ୍ୟ ମାରୁଥିଲେ । ଏମିତିକି ପିଠି ଏବଂ ଗୋଡରେ ଏବେ ମଧ୍ୟ ଦାଗ ରହିଥିବା ସେ ଦେଖାଇଥିଲେ । ମାତ୍ର ପୁଅ ବୋହୂଙ୍କ ନାଁରେ ଏତଲା ଦେବା ପାଇଁ ମନା କରିଥିଲେ । ଏହା ଶୁଣିବା ପରେ ଲୋକ ବାଃ ବାଃ କହିଥିଲେ । ଏଥିରୁ ସ୍ପଷ୍ଠ ଜଣା ପଡି ଯାଉଛି ପିଲାମାନେ ବାପା ମାଙ୍କର ଯେତେ ଅସୁବିଧା କଲେ ମଧ୍ୟ ବାପା ମା ସବୁବେଳେ ଛୁଆଙ୍କର ମଙ୍ଗଳ ସାଧନ କରିଥାନ୍ତି । ସେପଟେ ଦେଶରେ ସାଧାରଣ ତନ୍ତ୍ର ଦିବସ ପାଖେଇ ଆସୁଥିବାରୁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନ ଦେଉଥିବା ବେଳେ ରାସ୍ତାରେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଛାଡିବା ଘଟଣା ଏକ ନିନ୍ଦନୀୟ ଘଟଣା ବୋଲି ଚର୍ଚ୍ଚା ହେଉଛି । ଏଣୁ ଆମେ ଅନୁମାନ କରୁଛି କି ଆମ ଖବର ପଢ଼ିବା ପରେ ପୁଅ ବୋହୂ ନିଜର ଭୁଲ ବୁଝି ପାରି ପୁନର୍ବାର ବାପାଙ୍କୁ ଘରକୁ ପାଛୋଟି ନେବେ । ଏବଂ ଆଗକୁ ଆଉ ଏଭଳି ଭୁଲ କରିବେନି ବୋଲି ଏଟିଆର ନ୍ୟୁଜ ଆଶା କରୁଛି ।