ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନୂଆ ବର୍ଷରେ ନୂଆ ଯୋଜନା ଘୋଷଣା କଲା ବନ ବିଭାଗ । ହାତୀଙ୍କ କବଳରୁ ମଣିଷଙ୍କୁ ବଞ୍ଚାଇବା ପାଇଁ ପଶ୍ଚିମ ବଙ୍ଗରୁ ଆସିବ ‘ଗଜଗାଡି’ । କାରଣ ବହୁ ଦିନ ଧରି ହାତୀ ମଣିଷ ଲଢ଼େଇ ଚାଲିଛି । ଏହି ଲଢ଼େଇରେ କେତେ ବେଳେ ମଣିଷର ଜୀବନ ଯାଉଛି ତ ଆଉ କେତେ ବେଳେ ହାତୀଙ୍କ ଜୀବନ । ୨୦୧୧ ମସିହାରୁ ୨୦୧୮ ମସିହା ଭିତରେ ୬୮୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୪୮ ହାତୀଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ଏଣୁ ଏହି ଲଢ଼େଇକୁ ରଖିବା ପାଇଁ ‘ଗଜଗାଡି’ ଆସିବ ଏବଂ ସେଲାର ଫେନିଂ ଟ୍ରେଞ୍ଚ ଖୋଲିବା ପାଇଁ ବନ ବିଭାଗ ନିଷ୍ପତ୍ତି ନେଇଛି ।
ଗାଁ ହେଉ ବା ସହର ସବୁଠି ହାତୀ ପଶି ବନ ବିଭାଗ କର୍ମଚାରୀ ଏବଂ ସାଧାରଣ ଲୋକଙ୍କୁ ନାକେଦମ କରିଦିଅନ୍ତି । ଯାହା ଫଳରେ ସମସ୍ତେ ଅସ୍ତ ବ୍ୟସ୍ତ ହୋଇ ପଡିଥାନ୍ତି । ଏଣୁ ହାତୀଙ୍କ ବାଟ ଓଗାଳିବାକୁ ଏଥର ସରକାରୀ ଜମି ପରିବର୍ତ୍ତେ ଘରୋଇ ଜମିରେ ଟ୍ରେଞ୍ଚ୍ ଖୋଳାଯିବ । ସେଠାରେ ସୋଲାର ଫେନ୍ସିଂ ବି କରାଯିବ । ସମ୍ପୃକ୍ତ ଜମି ମାଲିକଙ୍କୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯିବ । ଏହି ସମସ୍ତ କାର୍ୟ୍ୟ ପିପିପି ମୋଡରେ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ହାତୀଙ୍କୁ ଘଉଡ଼ାଇବା ଲାଗି ମାସକ ମଧ୍ୟରେ ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ‘ଗଜ ଗାଡ଼ି’ ଅଣାଯିବ । ଏଥିରେ ସାଇରନ୍, ଟ୍ରାଙ୍କୁଲାଇଜର, କ୍ରେନ୍ ଭଳି ବିଭିନ୍ନ ସରଞ୍ଜାମ ରହିଛି । ଗାଡ଼ି ଉପରେ ବସି ହାତୀଙ୍କୁ ଜଙ୍ଗଲ ଭିତରକୁ ଘଉଡ଼ା ଯାଇପାରିବ ।