ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନାର ଭୟ ଘାରି ଥିବା ବେଳେ ଏହାର ମୁକାବିଲା କରିବା ଏବେ ସଭିଁଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । କରୋନା ନିଜର କାୟା ଧୀରେ ଧୀରେ ବିସ୍ଥାର କରିବାରେ ଲାଗିଛି । ଏହି ରୋଗରେ ଆକ୍ରାନ୍ତ ରୋଗୀ ବିଭିନ୍ନ ଦେଶରେ ମଧ୍ୟ ଦେଖିବାକୁ ମିଳୁଛି । ଭାରତରେ ମଧ୍ୟ ୨୯ଜଣ କରୋନାରେ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱଷ୍ଟ କରିଛନ୍ତି । ତେବେ ଏହି କରୋନା ଯେମିତି ଦେଶରେ ନିଜର କାୟା ବିସ୍ଥାର ନକରିବ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ତେବେ ଓଡିଶାରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏଯାଏ କେହି ବି କରୋନାରେ ସଂକ୍ରମିତ ହୋଇ ନଥିବା ଜଣାପଡିଛି ।
ହେଲେ ଦିନକୁ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସନ୍ଦିଗ୍ଧ ବାହାରୁ ଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାର୍ତ୍ତାବରଣ ସୃଷ୍ଟି ହୋଇଛି । କରୋନା ସଂକ୍ରମିତ ଲୋକଙ୍କ ଠାରୁ ଦୂରେଇ ରହିବା ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରୀ ମଧ୍ୟ ଜାରି କରାଯାଇଛି । ତେବେ ପିଲାମାନେ ଯେପରି କରୋନା ରୋଗର ବସବତି ନହେବେ ସେଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ସ୍କୁଲମାନଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ମନ୍ତ୍ରାଳୟ ପକ୍ଷରୁ ସ୍କୁଲ ଭିତରେ ଛାତ୍ରଛାତ୍ରୀଙ୍କୁ ନେଇ କୌଣସି ବଡଧରଣର ସମାବେଶ କରିବାକୁ ବାରଣ କରାଯାଇଛି । ଏହାଛଡା କୌଣସି ଛାତ୍ରଛାତ୍ରୀ କିମ୍ବା ସ୍କୁଲ କର୍ମଚାରୀ ଗତ ୨୮ ଦିନ ଭିତରେ କରୋନା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ କିମ୍ବା କରୋନା ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ, ତାଙ୍କୁ ୧୪ ଦିନ ପାଇଁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।
ଏହାବ୍ୟତୀତ ପିଲାଙ୍କ ଦେହରେ ସାମାନ୍ୟ ସର୍ଦ୍ଦି, କାଶ, ଜ୍ୱର କିମ୍ବା ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଲକ୍ଷଣ ଦେଖାଦେଲେ କ୍ଲାସ୍ ଟିଚର ତୁରନ୍ତ ସେମାନଙ୍କ ଅଭିଭାବକଙ୍କୁ ଅବଗତ କରାଇବା ସହ ଡାକ୍ତରୀ ପରୀକ୍ଷା କରାଇବାକୁ ପରାମର୍ଶ ଦେବାକୁ କୁହାଯାଇଛି। ସାବୁନ, ପାଣି କିମ୍ବା ଆଲକହଲ୍ ଯୁକ୍ତ ହ୍ୟାଣ୍ଡୱାସ ଦ୍ୱାରା ହାତ ଧୋଇବାକୁ ପିଲାଙ୍କୁ ପରାମର୍ଶ ଦିଆଯାଇଛି। ସମସ୍ତେ କାଶିଲା ବେଳେ କିମ୍ବା ଛିଙ୍କିଲା ବେଳେ ମୁହଁରେ କପଡ଼ା କିମ୍ବା ଟିସୁ ପେପର୍ ବ୍ୟବହାର କରନ୍ତୁ। ଆଖି, ନାକ ଏବଂ ପାଟିକୁ ହାତରେ ସ୍ପର୍ଶ ନ କରିବାକୁ ପରାମର୍ଶ ଦିଆଯାଇଛି। ସ୍କୁଲ ପରିସର ଏବଂ ଆସବାବପତ୍ରକୁ ସଫା ରଖିବାକୁ ମଧ୍ୟ ଆଡଇଇଜାରୀରେ ଉଲ୍ଲେଖ ରହିଛି।