ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତବର୍ଷ ହୋଲି ଖେଳିବେ ନାହିଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏବେ ସାରା ବିଶ୍ୱରେ କରୋନା ଭାଇରସ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । କରୋନା ଧୀରେ ଧୀରେ କରି ବିଭିନ୍ନ ଦେଶରେ ବ୍ୟାପିବାରେ ଲାଗିଲାଣି । ଭାରତରେ ମଧ୍ୟ କରୋନାର ଆକ୍ରାନ୍ତ ରୋଗୀ ଦେଖିବାକୁ ମିଳିଲେଣି । ଏହି ରୋଗ ସ୍ପର୍ଶ କରିବା ଦ୍ୱାରା ବ୍ୟାପୁଥିବାରୁ ଏଥିପାଇଁ ମଧ୍ୟ ଅନେକ ସଚେତନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।
ତେବେ ଏହି ଭାଇରସର ସଂକ୍ରମଣକୁ ଆଖିଆଗରେ ରଖି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ହୋଲି ଖେଳିବେ ନାହିଁ ବୋଲି ରାଜଭବନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ହୋଲି ଏକ ମିଳନର ପର୍ବ ହୋଇଥିବାରୁ କରୋନା ସଂକ୍ରମଣର ଆଶଙ୍କା ଅଧିକ ରହୁଛି । ତେଣୁ ରାଜ୍ୟପାଳ କୌଣସି ହୋଲି ମିଳନ କିମ୍ବା ହୋଲି ଉତ୍ସବରେ ମଧ୍ୟ ଯୋଗ ଦେବେ ନାହିଁ । ଏହା ବ୍ୟତିତ ରାଜ୍ୟପାଳ କରୋନା ଭାଇରସ ସଂକ୍ରମଣର ମୁକାବିଲା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ସତର୍କତାମୂଳକ ପଦକ୍ଷେପ ନେବା ସହ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ପ୍ରଦାନ କରିଛନ୍ତି ।