ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ବିଶ୍ୱରେ କରୋନା ମହାମାରୀ ଦ୍ୱିତୀୟ ଲହରୀ ଜାରି ରହିଥିବାବେଳେ ବିଭିନ୍ନ ଦେଶରେ ଟିକାକରଣ ଜାରି ରହିଛି । ଭାରତରେ ମଧ୍ୟ ଟିକାକରଣକୁ ବ୍ୟାପକ କରାଯାଇଛି । ଏନେଇ ଆଜି କେନ୍ଦ୍ର ସରକାର ମେ ୧ ରୁ ସମସ୍ତ ପ୍ରାପ୍ତ ବୟସ୍କ ଟିକା ନେବେ । ଅର୍ଥାତ୍ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫାର୍ମା କମ୍ପାନୀ ମାନଙ୍କ ସହ ବୈଠକ କରିବାପରେ ଏହି ନିଷ୍ପତ୍ତି ନେଇଛନ୍ତି ।
ପୂର୍ବରୁ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଓ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ କରୋନା ଟିକା ଦେବା ପାଇଁ ଅନୁମତି ମିଳିଥିଲା । ଟିକାକରଣ ପାଇଁ ତିନୋଟି ପର୍ଯ୍ୟାୟ ପ୍ରସ୍ତୁତ କରିଛନ୍ତି ସରକାର । ପ୍ରଥମ ପର୍ଯ୍ୟାୟରେ ପ୍ରତି ମାସରେ ଯେତେ ଟିକା ଉତ୍ପାଦନ ହେବ ତାର ୫୦ ପ୍ରତିଶତ ଟିକା ସେଣ୍ଟ୍ରାଲ ଡ୍ରଗ ଲାବୋରେଟୋରୀକୁ ଦିଆଯିବ ।
ଏହାପରେ ରାଜ୍ୟ ସରକାର ଅନ୍ୟ ଟିକା ଖୋଲା ବଜାରରେ ବିକ୍ରି କରିବା ପାଇଁ ଯୋଗାଇ ପାରିବେ । ଏବେ ଖୋଲା ବଜାରରେ ଟିକା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ ଔଷଧ ବିଭିନ୍ନ ଦୋକାନ,ହସ୍ପିଟାଲ ମଧ୍ୟ କରୋନା ଟିକା ଉତ୍ପାଦକଙ୍କ ପାଖରୁ କିଣିପାରିବେ । ଏବେ କରୋନାର ଦ୍ୱିତୀୟ ଲହରୀର ସଂକ୍ରମଣ ଯୁବପିଢି ବା ଯୁବଗୋଷ୍ଠୀଙ୍କୁ ସଂକ୍ରମିତ କରୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।