ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ସମ୍ପର୍କରେ କରୁଛନ୍ତି କି ଗୁଜବ ପ୍ରଚାର । ହୋଇଯାଆନ୍ତୁ ସାବଧାନ । ନହେଲେ ଭୋଗୀବାକୁ ପଡିବ ଦଣ୍ଡ। କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମହାମାରୀ ରୂପେ ବିବେଚିତ କରାଯିବା ପର ଠାରୁ ସମସ୍ତଙ୍କ ମନରେ ଏହାକୁ ନେଇ ଛନକା ପଶିବାରେ ଲାଗିଲାଣି । କରୋନା ଧୀରେ ଧୀରେ କରି ବିଶ୍ୱକୁ ଗ୍ରାସ କରିବାରେ ଲାଗିଲାଣି । ସାରା ବିଶ୍ୱରେ ୪୬୨୭ଲୋକ ମୁଣ୍ଡ ନେଇଥିବା ବେଳେ ଭାରତରେ ଗତକାଲି ପ୍ରଥମ ମୁଣ୍ଡ ନେଇଛି ମହାମାରି କରୋନା । ତେବେ ଏହି ମହାମାରିରେ ଓଡିଶାରେ କେହି ବି ପ୍ରଭାବିତ ନହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ମୁକାବିଲା ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରେଗୁଲେସନ ଜାରି କରିଛନ୍ତି ।
ଏହି ରେଗୁଲେସନ ଅନୁଯାୟୀ , ସମସ୍ତ ସରକାରୀ , ଘରୋଇ ହସ୍ପିଟାଲରେ ସନ୍ଦିଗ୍ଧଙ୍କ ପାଇଁ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏହା ସହ ଚିହ୍ନଟ ହେଉଥିବା କରୋନା ସନ୍ଦିଗ୍ଧଙ୍କ ସବୁପ୍ରକାର ତଥ୍ୟ ହସ୍ପିଟାଲରେ ରହିବ । ଏହା ବ୍ୟତିତ ଘରୋଇ ଲ୍ୟାବରେ କରୋନା ପରୀକ୍ଷା ପାଇଁ ଅନୁମତି ନାହିଁ । ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଥିବା ଏହି କରୋନାକୁ ନେଇ ଅନେକ ଗୁଜବ ସୋସିଆଲ ମିଡିଆରେ ଘୁରି ବୁଲିଛି । ଯାହାକୁ ଲୋକମାନେ ସତ ଭାବି ଅନେକ ବିପତ୍ତି ଜନକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ଶେଷରେ ସେମାନଙ୍କୁ ଜୀବନ ମଧ୍ୟ ହରାଇବାକୁ ପଡୁଛି ।
ତେବେ ରାଜ୍ୟ ସରକାର ଜାରି କରିଥିବା ରେଗୁଲେସନରେ ଉଲ୍ଲେଖ ରହିଛି ଯେ ଯଦି କେହି କୌଣସି ପ୍ରକାରର ଗୁଜବ ପ୍ରଚାର କରନ୍ତି ତାହା ଅପରାଧ ବିବେଚିତ ହେବ । ସେହିପରି ଯଦି ଆପଣ କରୋନା ଆକ୍ରାନ୍ତ ଦେଶକୁ ଗସ୍ତ କରିଛନ୍ତି ତେବେ ସେ ସମ୍ପର୍କରେ ନିଜେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତି ମେଡିକାଲ କର୍ତ୍ତୃପକ୍ଷ ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ତତ୍କାଳ ଲାଗୁ ହୋଇଥିବା ବେଳେ ୧ ବର୍ଷ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।