ପାରଳାଖେମୁଣ୍ଡି ( ଏଟିଆର ବ୍ୟୁରୋ): ଗତ ଦୁଇଦିନ ହେଲା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ଯାହା ଫଳରେ ପୁରା ରାଜ୍ୟ ବର୍ଷାରେ ବେହାଲ ହୋଇ ପଡିଲାଣି । ତେବେ ଏହି ପ୍ରବଳ ବର୍ଷାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ତିପିସିଂ-କୁଲମ ମଧ୍ୟରେ ଥିବା ଏକ ପାହାଡ ଭୁଶୁଡିବା ଫଳରେ ୪ଟି ଘର ଓ ଘରର ଅନେକ ସମାଗ୍ରୀ ନଷ୍ଟ ହୋଇଯାଇଛି। ଅନ୍ୟପଟେ ରାୟଗଡାରେ ମଧ୍ୟ ଗୁଣପୁର ବ୍ଲକ ପୁଟାସିଂ ନିକଟ ରେଜିଙ୍ଗତାଲ ଘାଟିରେ ବଡ଼ ବଡ଼ ପଥର ଖଣ୍ଡ ପାହାଡ଼ ଉପରୁ ଖସି ପଡିଛି ।
ରାଜ୍ୟରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ୬ ଟି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି । ସେହିଭଳି ଲଗାଣ ବର୍ଷା ଯୋଗୁ ରେଳ ସେବା ମଧ୍ୟ ପ୍ରଭାବିତ ହୋଇଛି । ବର୍ଷା ଆହୁରି ୨୪ ଘଣ୍ଟା ପର୍ୟ୍ୟନ୍ତ ଲାଗି ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ ୧୬୬.୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖା ଦେଇଛି ।