ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା ୮ ତାରିଖରୁ ଉପକୂଳ ଓଡିଶାରେ ବର୍ଷା ହୋଇପାରେ । ଉତ୍ତର ଆଣ୍ଡାମାନ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ଭିତରେ ଅବପାତର ରୂପ ନେବ । ଯାହାର ପ୍ରଭାବରେ ଆସନ୍ତା ୮ ତାରିଖ ଠାରୁ ୧୦ ତାରିଖ ମଧ୍ୟରେ ରାଜ୍ୟର ଉପକୂଳ ଓଡିଶା ଓ ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି । । ଆଜିଠାରୁ ଆକାଶ ମେଘାଛନ୍ନ ରହିବ। ପାଣିପାଗ ବିଭାଗ ସୂଚନା ଅନୁସାରେ ଓଡିଶା ଛୁଇଁବନି ସାମୁଦ୍ରିକ ଝଡ଼ ବୁଲବୁଲ ।
ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ପ୍ରାୟ ୫୦ କି.ମି ବେଗରେ ପବନ ବୋହିବ ବୋଲି ପୂର୍ବାନୁମାନ କରାଯାଉଛି। ଗଭୀର ସମୁଦ୍ର ମଧ୍ୟରୁ ମତ୍ସଜୀବୀମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପାଣିପାଗ ବିଭାଗ ସତର୍କ କରିଛି। ଅନ୍ୟପଟେ ସମ୍ଭାବ୍ୟ ଭୀଷଣ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କର ଛୁଟି ବାତିଲ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ଅନ୍ୟପଟେ ବାତ୍ୟା ଉପକୂଳ ଛୁଇଁବା ସମ୍ଭାବନା ନଥିବାରୁ ବାତ୍ୟାକୁ ନେଇ ଭୟଭୀତ ନ ହେବାକୁ ସରକାର ପରାମର୍ଶ ଦେଇଛନ୍ତି । ଏହି ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇବ । ଓଡିଶା ଉପରେ ବାତ୍ୟାର ସେତେ ପ୍ରଭାବ ପଡିବନି । ସେହିଭଳି ବର୍ଷାକୁ ଦୃଷ୍ଟିରେ ରଖି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟ, ଓୟୁଏଟି ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଚାଷୀଙ୍କୁ ଫସଲକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି ।