ଭୁବନେଶ୍ୱର( ଏଟିଆର ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୫ ତାରିଖରୁ ବର୍ଷାର ପରିମାଣ ପୁଣି ବଢିବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ଯାହାର ପ୍ରଭାବରେ ରାଜ୍ୟରେ ୨୫ ରୁ ୨୭ ପର୍ଯ୍ୟନ୍ତ ବର୍ଷା ବଢିବା ଆଶଙ୍କା କରାଯାଉଛି । ଓଡିଶା ଉପକୂଳରେ ଏହି ଲଘୁଚାପ ସୃଷ୍ଟି ହେବ । ଏହା ଅଧିକ ଘନୀଭୂତ ହେବା ଆଶଙ୍କା କରାଯାଉଛି । ଯାହାର ପ୍ରଭାବରେ ୨୫ରୁ ୨୭ ତାରିଖ ପର୍ୟ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଏହି ତିନିଦିନ ପାଗ ସାମାନ୍ୟ ଶୁଖିଲା ରହିଲେ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୪ ତାରିଖ ଅପରାହ୍ନ କିମ୍ବା ରାତିରୁ ବର୍ଷା ପରିମାଣ ବଢିବ ବୋଲି ଆକଳନ କରାଯାଇଛି । ଅନ୍ୟପଟେ ହୀରାକୁଦ ଉପରମୁଣ୍ଡରେ ବର୍ଷାର ପରିମାଣ ସାମାନ୍ୟ କମିଛି । ଯାହା ଫଳରେ ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୨ ଟି ଗେଟ ଦେଇ ଜଳ ନିସ୍କାସିତ ହେଉଛି ।
ବର୍ତ୍ତମାନ ସେକେଣ୍ତ ପ୍ରତି ୫୪ ହଜାର ୦୩୮ କ୍ୟୁସେକ ଜଳ ପ୍ରବେଶ କରୁଛି । ଆଜି କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ବାଲେଶ୍ବର, କଟକ, ଭଦ୍ରକ, ଗଞ୍ଜାମ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ଅନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୮ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ପୁରା କମିବ ।