ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗି ରହିଛି । ଆଜି ଅପରାହ୍ନରେ କେତେକ ଜିଲ୍ଲାରେ ବର୍ଷା ସହିତ ଘଡଘଡି ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ମୟୁରଭଞ୍ଜ, ବାଲେଶ୍ୱର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରପଡା, ଜଗତସିଂହପୁର, ଯାଜପୁର, ପୁରୀ, ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାକୁ ସତର୍କ ରହିବାକୁ ସୂଚନା ରହିଛି ।
ତେବେ ଆଜିଠାରୁ ଆଉ ଦୁଇଦିନ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଅନୁମାନ କରାଯାଉଛି । ୬ ତାରିଖରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ବିଶେଷ କରି ଏହି ସମୟରେ ଉପକୂଳ ଓଡ଼ିଶା ଉପରେ ଘଡ଼ଘଡ଼ି ସହ ବର୍ଷାର ପ୍ରଭାବ ଅଧିକ ରହିବ । ତେବେ ଏଥର ଦଶହରା ଦିନ ପାଗ ଶୁଖିଲା ରହିବ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଜୁନ ୧ ଠାରୁ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ରାଜ୍ୟରେ ୯.୯ପ୍ରତିଶତ ଅଧିକ ବର୍ଷା ହୋଇଛି । ଅନ୍ୟପଟେ ହୀରାକୁଦର ଉପର ମୁଣ୍ଡରେ ମଧ୍ୟ ବର୍ଷାର ପରିମାଣ କମିଛି । ଯାହାଫଳରେ ହୀରାକୁଦରେ ଜଳସ୍ତର ସ୍ୱଭାବିକ ରହିଛି । ଏବେ ଜଳ ଭଣ୍ଡାରରୁ ୪ ଟି ଗେଟ ଦେଇ ଜଳ ନିସ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୯୯ ହଜାର ୮୭୧ କ୍ୟୁସେକ୍ ଜଳ । ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୮୭ ହଜାର ୧୬୬ କ୍ୟୁସେକ୍ ଜଳ ।