ବଲାଙ୍ଗୀର ( ଏଟିଆର ବ୍ୟୁରୋ): ବଙ୍ଗୋ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏବେ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ହେଉଛି । ବର୍ଷାର ପରିମାଣ ଏତେ ଅଧିକ ରହିଛି ଯେ ପ୍ରଶାସନ ସ୍କୁଲ କଳେଜ ଛୁଟି କରିବାକୁ ବାଧ୍ୟ ହୋଇଛନ୍ତି । ଲଗାଣ ବର୍ଷା ଯୋଗୁ ପୁରା ବଲାଙ୍ଗୀର ସହର ରହିଛି ପାଣି ଘେରରେ । ସହରର ପ୍ରାୟ ୯୦ ପ୍ରତିଶତ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯାହା ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ତେଲ ନଦୀରେ ଜଳସ୍ତର ବୃଦ୍ଧି ହେବା କାରଣରୁ ଜିଲ୍ଲାରେ ଏକ ପ୍ରକାର ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଗୁଡଭେଲା ବ୍ଲକର ପାଖାପାଖି ୨୦ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଓଡରାଫ ଟିମ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି । ସୂଚନାଯୋଗ୍ୟ ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇ ଯାଇଛି ।
ଗତକାଲି ପଶ୍ଚିମ ଅଞ୍ଚଳ ସମେତ ରାଜଧାନୀରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ତେବେ ବର୍ଷାରେ ପରିମାଣ ଆଜି ଠାରୁ ଅଧିକ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚିନା ଦେଇଛି । ସକାଳ ୭ଟା ୧୫ରୁ ୧୦ଟା ୧୫ ପର୍ୟ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ମୟୂରଭଞ୍ଜ, ସୋନପୁର, କେନ୍ଦୁଝର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।