ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । ଚିନୀର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ଏବେ ପ୍ରାୟ ୫୦ଟି ଦେଶକୁ ବ୍ୟାପି ସାରିଲାଣି । ଏହା ସହ ଏହି ଭାଇରସରେ ମୃତ୍ୟୁ ସଂଖ୍ୟା ପ୍ରାୟ ୩ ହଜାର ଟପି ସାରିଲାଣି । ୮୮ ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ଥିବାର ଜଣାଡିଛି । ତେବେ ଏହାକୁ ନେଇ ଓଡିଶାରେ ମଧ୍ୟ ଭୟ ବାତାବରଣ ରହିଛି । ଅନ୍ୟପଟେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ କହିବା ଅନୁସାରେ ଓଡିଶାକୁ କରୋନା ଭୟ ନାହିଁ । ତଥାପି ଆମେ ମାନେ ଏହାର ମୁକାବିଳା କରିବାକୁ ପ୍ରସ୍ତୁତ ଅଛୁ । ଭୁବନେଶ୍ୱର, ଝାଡସୁଗୁଡା ବିମାନ ବନ୍ଦରରେ କଡା ନଜର ରଖାଯାଇଛି । ଏ ପର୍ଯ୍ୟନ୍ତ ରାଜ୍ୟରେ କରୋନା ପଜେଟିଭ ଚିହ୍ନଟ ହୋଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ଆଜି ପାରାଦ୍ୱୀପରେ ଦଇୁ ଜଣ କରୋନା ସନ୍ଦିଗ୍ଧ ଚିହ୍ନଟ କରାଯାଇଛି । ଉଭୟ ସ୍ୱାମୀ- ସ୍ତ୍ରୀ ବୋଲି ଜଣାପଡିଛି । ଉଭୟ ଜାହାଜ ଯୋଗେ ସିଙ୍ଗାପୁରରୁ ଆସିଥିବାର ସୂଚନା ମିଳିଛି । ଉଭୟଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପୂର୍ବରୁ ଭାରତର ରାଜଧାନୀ ଦିଲ୍ଲୀରେ ଜଣେ ଓ କେରଳରେ ଦୁଇ ଜଣ ବ୍ୟକ୍ତିଙ୍କ ନିକଟରେ କରୋନା ପଜେଟିଭ ଚିହ୍ନଟ କରାଯାଇଛି । ସମସ୍ତଙ୍କୁ ବର୍ତ୍ତମାନ ଚିକିତ୍ସା କରାଯାଉଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।