ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କୋଟିଆରେ ଆନ୍ଧ୍ରର ପଞ୍ଚାୟତନିର୍ବାଚନ ପ୍ରସଙ୍ଗରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏହି ମାମଲାର ଶୁଣାଣି ପାଇଁ ଓଡିଶା ପକ୍ଷରୁ ଆବେଦନ କରାଯାଇଥିଲା । ଓଡିଶା ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ମାମଲା ରୁଜୁ କରିଛନ୍ତି ।
ଏହି ମାମଲାରେ ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବ ଆଦିତ୍ୟନାଥ ଦାସ, ଭିଜୟନଗରମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ କର୍ତ୍ତୃପକ୍ଷ ଡକ୍ଟର ଏମ.ଏଚ.ଜୱାହରଲାଲ, ଆନ୍ଧ୍ର ପ୍ରଦେଶ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍. ରମେଶକୁମାରଙ୍କୁ ପକ୍ଷଭୁକ୍ତ କରାଯାଇଛି।
୧୯୬୮ରେ ଏହି ସୀମା ବିବାଦର ଶୁଣାଣି କରି ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ଅବମାନନା କରି ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୋଟିଆର ୩ଟି ପଞ୍ଚାୟତରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
କୋଟିଆର ଆନ୍ଧ୍ର ସରକାରଙ୍କ ପକ୍ଷରୁ ହେଉଥବା ପଞ୍ଚାୟତ ନିର୍ବାଚନକୁ ନେଇ ଆଇକୋର୍ଟ ମଧ୍ୟ ପିଟିସନ ଦାଖଲ କରାଯାଇଛି । ଭାରତୀୟ ବିକାଶ ପରିଷଦ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛି। ସୀମା ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏଥିରେ ନିବେଦନ କରାଯାଇଛି।