ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଜୁଲାଇ ୩୧ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଫଳରେ ଆଗାମୀ ସପ୍ତାହରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ପୂର୍ବାନୁମାନ କରାଯାଇଛି। କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଗଜପତି, ଗଞ୍ଜାମ, ରାୟଗଡ଼ା, ଖୋର୍ଦ୍ଧା, ବୌଦ୍ଧ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୬ ପ୍ରତିଶତର କମ୍ ବର୍ଷା ହେଇଛି । ପାଣିପାଗ ବିଭାଗର ସୂଚନାନୁସାରେ, ଆଭ୍ୟନ୍ତରୀଣ ଓଡିଶାରେ ବେଶୀ ବର୍ଷା ହୋଇଛି । ଗତ ୨୪ ଘଂଟାରେ କେନ୍ଦୁଝରେ ସର୍ବାଧିକ ୬୬.୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ୨୯ ଓ ୩୦ତାରିଖ ପାଇଁ ପାଇଁ ପାଣିପାଗ ବିଭାଗ ୟୋଲୋ ୱାର୍ଣ୍ଣିଙ୍ଗ ଜାରି କରିଛି। ଏହି ସମୟ ଭିତରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
୨୯ରୁ ୩୦ ତାରିଖ ମଧ୍ୟରେ ମୟୁରଭଞ୍ଜ, କୋରାପୁଟ, ସମ୍ବଲପୁର, ନବରଙ୍ଗପୁର, ନୂଆପଡ଼ା, ଝାରସୁଗୁଡା, ବରଗଡ଼ ଓ କନ୍ଧମାଳ ଆଦି ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୂଚନାଯୋଗ୍ୟ ବର୍ଷା ଅଭାବରୁ ହୀରାକୁଦ ଜଳସ୍ତର କମିଯାଇଥିଲା ଯାହାଫଳରେ ଚାଷୀ ଚିନ୍ତାରେ ପଡ଼ିଥିଲା। ଏଥର ରାଜ୍ୟରେ ମୋଟାମୋଟି ଭାବେ ଭଲ ବର୍ଷା ହୋଇ ନଥିବା ଯୋଗୁ ମରୁଡ଼ି ଆଶଙ୍କା ଦେଖାଦେଇଛି। ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମଦନମୋହନ ଦାସ କହିଛନ୍ତି, ୩୧ ତାରିଖ ଭିତରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।