ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ବାତ୍ୟା ତିତଲିର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଥିବା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତିତଲି ଓଡିଶାର ସ୍ଥଳ ଭାଗକୁ ଛୁଇଁବା ପରେ ଏହା ଉତ୍ତର – ପଶ୍ଚିମ ମୁହାଁ ହୋଇଛି । ତେବେ ଆଜି ମଧ୍ୟାହ୍ନ ବେଳକୁ ତିତଲି ଦୁର୍ବଳ ହେବା ସହ ଏହା ରି – କର୍ଭ ନେଇ ଉତ୍ତର – ପୂର୍ବ ଦିଗ ଆଡକୁ ଗତି କରିବ । ଶେଷରେ ଆସନ୍ତା କାଲି ସକାଳ ସୁଦ୍ଧା ଏହା ତୀବ୍ର ଅବପାତର ରୂପ ନେବ ବୋଲି ଜଣାପଡିଛି । ତେବେ ଏହାର ପ୍ରଭାବରେ ସାରାରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଜାରି କରିଥିବା ବୁଲେଟିନରେ କହିଛି ।
ସେପଟେ ସତର୍କ ରହିବାକୁ ଆଇଏମଡି ପରାମର୍ଶ ଦେଇଛି । ଆସନ୍ତା କାଲି ଯାଏ ରାଜ୍ୟର ଅନେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ । ଆଜି ଉପକୂଳ ଓଡିଶାର କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ଅନେକ ସ୍ଥାନରେ ମଧ୍ୟ ଅତି ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି । ଅନ୍ୟପଟେ ଆସନ୍ତାକାଲି ଉତ୍ତର ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ ମଧ୍ୟ କରାଯାଇଛି ।