ଭବାନୀପାଟଣା (ଏଟିଆର ବ୍ୟୁରୋ): କଳାହାଣ୍ଡିର ପ୍ରସିଦ୍ଧ ଛତର ଯାତ୍ରା ସମରେ ହଜାର ହଜାର ପଶୁ ବଳି ଦିଆଯାଇଥାଏ । ଏହାକୁ ବନ୍ଦ କରିବା ନିମନ୍ତେ ପ୍ରଶାସନର ସମସ୍ତ ପ୍ରଚେଷ୍ଟା କରି ବିଫଳ ହେଉଛି । ଏବଂ ପ୍ରତିବର୍ଷ ହଜାର ହଜାର ପଶୁଙ୍କର ବଳି ପଡିଥାଏ । ଅନ୍ୟପଟେ ଛତର ଯାତ୍ରାକୁ ନେଇ ହାଇକୋର୍ଟ ନିଜର କଡା ଆଭିମୁଖ୍ୟ ଦେଖାଇଛନ୍ତି । ଛତର ଯାତ୍ରା ସମୟରେ ହେଉଥିବା ପଶୁବଳି ବନ୍ଦ ପାଇଁ ହାଇକୋର୍ଟ କଡା ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ପଶୁ ବଳି ପଡିଲେ ଜିଲ୍ଲାପାଳ ଓ ଏସପି ଦାୟୀ ରହିବେ । ହାଇକୋର୍ଟ କହିଛନ୍ତି ଯେ, ଛତର ଯାତ୍ରା ସମୟରେ ପଡୁଥିବା ପଶୁବଳି ଯେପରି ନପଡିବ ସେଥିପ୍ରତି ଜିଲ୍ଲାପାଳ ଓ ଏସପି ପଦକ୍ଷେପମାନ ଗ୍ରହଣ କରିବେ । ଯଦି ପଶୁବଳି ପଡେ ତେବେ ସେଥିପାଇଁ ଉଭୟ ଜିଲ୍ଲାପାଳ ଓ ଏସପି ଦାୟୀ ରହିବେ । ତେବେ ଚାଲୁ ରହିଥିବା ଏହି ବଳି ପ୍ରଥାକୁ ବନ୍ଦ କରିବା ନିମନ୍ତେ ଛତର ଯାତ୍ରାର ମାସେ ପୂର୍ବରୁ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ କରିବାକୁ କୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ବଳି ପଡୁଥିବା ସ୍ଥାନରେ ଓ ରାସ୍ତାକଡରେ ସିସିଟିଭି ଲଗାଇବା ପାଇଁ ମଧ୍ୟ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାନୁଯାୟୀ, କଳାହାଣ୍ଡିର ଆରାଧ୍ୟଦେବୀ ମାଁ ମାଣିକେଶ୍ୱରୀଙ୍କ ନିକଟରେ ମାଁ ଦୁର୍ଗାଙ୍କର ମହାଷ୍ଟମୀ ପୂଜା ଅବସରରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ ଏହି ଯାତ୍ରା ସମୟରେ ହଜାର ହଜାର ପଶୁ ବଳି ପଡିଥାଏ । ପ୍ରତିବର୍ଷ ପ୍ରଶାସନର କଟାକଣା ସତ୍ତେ୍ୱ ଏଠାରେ ପଶୁବଳି ପଡିଥାଏ । ଏହି ବଳି ପ୍ରଥା ସାମ୍ନାରେ ଯେମିତି ପ୍ରଶାସନ ହାର ମାନିଛି । ପ୍ରଶାସନର କଟକଣା ସତ୍ତେ୍ୱ ମାନସୀକଧାରୀ ମାନେ ପଶୁବଳି ଦେଉଥିବାରୁ ବାଧ୍ୟ ହୋଇ ହାଇକୋର୍ଟଙ୍କୁ କଠୋର ହେବାକୁ ପଡିଲା । ପ୍ରତିବର୍ଷ ଭବାନୀପାଟଣା ଓ ଥୁଆମୂଳ ଛତର ଯାତ୍ରା ଓ ମାଣିକେଶ୍ୱରୀଙ୍କ ପୀଠରେ ବଳି ପ୍ରଥା ପାଳନ କରି ଆସୁଛନ୍ତି ଭକ୍ତ ।