ସମ୍ବଲପୁର ( ଏଟିଆର ବ୍ୟୁରୋ): ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମହାନଦୀର ଉପର ମୁଣ୍ଡରେ ବର୍ଷାର ପରିମାଣ ବଢୁଛି । ଯାହା ଫଳରେ ହୀରାକୁଦ ଜଳ ଭଣ୍ଡାରରେ ଜଳ ସ୍ତର ବୃଦ୍ଧି ହେବାରେ ଲାଗିଛି । ଏହାକୁ ନଜରରେ ରଖି ଗତକାଲି ୬ ଟି ଗେଟ ଖୋଲା ଯାଇଥିବା ବେଳେ ଆଜି ପୁଣି ୪ ଟି ଗେଟ ଖୋଲା ଯାଇଛି । ଏବେ ସର୍ବମୋଟ ୧୦ ଟି ଗେଟ ଦେଇ ଜଳ ନିସ୍କାସିତ ହେଉଛି ।
ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ୬୨୩.୬୫ ଫୁଟ୍ ରହିଥିବା ବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୧ ଲକ୍ଷ ୮୮ ହଜାର ୬୭୨ କ୍ୟୁସେକ୍ ଜଳ । ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୧ ଲକ୍ଷ ୧୬ ହଜାର ୮୭୧ କ୍ୟୁସେକ୍ ଜଳ । ଏବେ ୧୦ ଟି ଗେଟ ଦେଇ ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିସ୍କାସିତ ହେଉଛି । ସୂଚନାଯୋଗ୍ୟ ଗତ ୧୪ ତାରିଖରେ ପ୍ରଥମେ ହୀରାକୁଦ ଗେଟ ଖୋଲା ଯାଇଥିଲା ।
୭ ନଂ ଗେଟ ଦେଇ ପ୍ରଥମେ ବନ୍ୟାଜଳ ନିସ୍କାସିତ ହୋଇଥିଲା । ପ୍ରଥମେ ମାତ୍ର କିଛି ସମୟ ଗେଟ ଖୋଲା ଯାଇଥିବା ବେଳେ ପରେ ପୁଣି ବନ୍ଦ କରି ଦିଆଯାଇଥିଲା । ପରେ ପୁଣି ଜଳସ୍ତର ବଢିବାରୁ ଗେଟ ଖୋଲା ଯାଇଥିଲା । ଗତକାଲି ପ୍ରଥମେ ୬ ଟି ଗେଟ ଓ ପରେ ଆଉ ୪ ଟି ଗେଟ ଆଜି ସକାଳୁ ଖୋଲା ଯାଇଛି ।