ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ କିଛିଟା ଗରମ ଅନୁଭୂତ ହେଉଥିଲେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ ନାହିଁ । ଏହା ସହ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବିଶେଷ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଉଛି । ସୂଚନାନୁଯାୟୀ , ଫେବୃଆରୀ ଶେଷ ଯାଏ ପାଗ ଅନୁକୂଳ କରିବା ସହ ଅଧିକ ଗରମ ମଧ୍ୟ ଅନୁଭବ ହେବ ନାହିଁ । କାରଣ ଉତ୍ତର ପଶ୍ଚିମ ଦିଗରୁ ଭୂପୃଷ୍ଠରୁ ୧୨କି.ମି. ଉଚ୍ଚତାରେ ଥଣ୍ଡା ବାୟୁ ଘଣ୍ଟାକୁ ୧୦୦ କି.ମି ବେଗରେ ବହୁଛି । ଯେଉଁ କାରଣରୁ ରାଜ୍ୟରେ ଏତେଟା ଗରମ ଅନୁଭବ ହେବ ନାହିଁ ।
ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ସହରରେ ତାପମାତ୍ରା ୩୦ରୁ ୩୧ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ । ଏହାସହ ରାତିରେ ଥଣ୍ଡା ଅନୁଭୂତ ହେବ । ତେବେ ଆସନ୍ତା ୨୨ରୁ ୨୬ ତାରିଖ ଯାଏ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଦିନରେ ଖରା ଅନୁଭବ ହେବା ସତ୍ୱେ ରାତିରେ କେତେକ ଜିଲ୍ଲାରେ ଘନକୁହୁଡି ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ କନ୍ଧମାଳ, ନୟାଗଡ, ବଲାଙ୍ଗୀର, କୋରାପୁଟ, ଖୋର୍ଦ୍ଧା, କଟକ, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ କୁହୁଡି ହେବାର ସମ୍ଭାବନା ରହିଛି । ସେହିପରି ଏହି ସମୟ ମଧ୍ୟରେ ଅନୁଗୋଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର ଜିଲାର କେତେକ ସ୍ଥାନରେ ଥଣ୍ଡା ବାୟୁ ପ୍ରବାହିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଏନେଇ ଏଲୋୱାର୍ନିଂ ଜାରି କରାଯାଇଛି ।