ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶେଷ ହେବ ହକି ମହାକୁମ୍ଭ । ଗତ ନଭେମ୍ବର୨୮ ତାରିଖରୁ ଆରମ୍ଭ ହୋଇଥିବା ବହୁଚର୍ଚ୍ଚିତ ବିଶ୍ୱକପ ହକିର ଆଜି ହେଉଛି ଅନ୍ତିମ ଦିନ । ଫାଇନାଲ ମ୍ୟାଚରେ ଶକ୍ତିଶାଳି ବେଲଜିୟମ ଏବଂ ନେଦରଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ । ଗତକାଲି ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେ ଶ କରିଛି ନେଦରଲାଣ୍ଡ । ସେପଟେ ପୂର୍ବରୁ ଇଂଲଣ୍ଡକୁ ଏକ ପାଖିଆ ଭାବରେ ୬-୦ରେ ହରାଇ ଆଗୁଆ ଫାଇନାଲ ପାଇଁ ସ୍ଥାନ ପକ୍କା କରିଥିଲା ବେଲଜିୟମ । ଆଜିର ମ୍ୟାଚଟି ଅତ୍ୟନ୍ତ ରୋମାଞ୍ଚ ହେବ ବୋଲି ଆଶା ରଖିଛନ୍ତି ହକିପ୍ରେମୀ । କାରଣ ଦୁଇ ଦଳରେ ବହୁ ଯୁବ ଏବଂ ଅଭିଜ୍ଞ୍ୟ ଖେଳାଳି ଅଛନ୍ତି । ଯାହାଙ୍କ ଭରଷାରେ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ସେପଟେ ବ୍ରୋଞ୍ଚ ପାଇଁ ଆଜି ପ୍ରଥମେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଲଢ଼େଇ ହେବ ।
ବିଶ୍ୱର ୧୬ଟି ଦେଶରୁ ବଛା ବଛା ଟିମ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଆସିଥିଲେ । ବହୁ ଧୁମଧାମରେ ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ବଲିଉଡର ବହୁ ନାମୀଦାମି କଳାକାର ଓଡିଶାମୁହାଁ ହୋଇଥିଲେ । ଏଠାକୁ ଆସି ଦର୍ଶକଙ୍କ ଫୁଲ ମନୋରଞ୍ଜ କରିଥିଲେ ଏମାନେ । ସେପଟେ ଆୟୋଜିତ ହୋଇଥିବା ଡଟ୍ ଫେଷ୍ଟରେ ମଧ୍ୟ ବହୁ ବଲିଉଡ ଗାୟକ ଗାୟିକା ମାନେ ଆସି ଯୋଗ ଦେଇଛନ୍ତି । ଆଜିର ଫାଇନାଲ ମ୍ୟାଚରେ କ୍ରିକେଟର ଭଗବାନ କୁଆଯାଉଥିବା ସଚିନ ତେନ୍ଦୁକର ଯୋଗ ଦେବେ । ଯାହାଙ୍କୁ ପାଖରୁ ଦେଖିବା ପାଇଁ ଓଡିଆ କ୍ରିକେଟ ପ୍ରେମୀମାନେ ଚାତକ ଭଳି ଚାହିଁ ବସିଛନ୍ତି । ଶେଷରେ ଆଜି ଏମାନଙ୍କ ସବୁ ପ୍ରତିକ୍ଷାର ଅନ୍ତ ଘଟିବ । ସେପଟେ ରାଜଧାନୀରେ ହକି ଅବସରରେ ଆୟୋଜିତ ହୋଇଥିବା ସମସ୍ତ କାର୍ଯ୍ୟକ୍ରମର ମଧ୍ୟ ଆଜି ହେଉଛି ଶେଷ ଦିନ । ଏଣୁ ଆସନ୍ତା କାଲିଠାରୁ ଖାଁ ଖାଁ ଲାଗିବ ବୋଲି କହିଛନ୍ତି ସାଧାରଣ ଲୋକ ।