ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହୋମଗାର୍ଡଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି ଦୈନିକ ୫୦୦ଟଙ୍କାର ମଜୁରି ମିଳିବ । ଏଭଳି ଖୁସି ଖବର ଆଣିଛନ୍ତି ହାଇକୋର୍ଟ । ଗତକାଲି ହାଇକୋର୍ଟ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏହିଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜଷ୍ଟିସ ବିଶ୍ୱନାଥ ରଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସପ୍ତମ ବେତନ କମିଶନ ଅନୁଯାୟୀ ସେମାନଙ୍କୁ ଦରମା ଦେବାକୁ ନିଷ୍ପତ୍ତି ହୋଇଛି । ଏହାସହ ମାସକ ମଧ୍ୟରେ ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।
ସୂଚନାନୁଯାୟୀ, ୨୦୧୬ମସିହାରେ ହୋମଗାର୍ଡଙ୍କୁ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇ ସର୍ବନିମ୍ନ ପୋଲିସ କର୍ମଚାରୀଙ୍କ ଦରମା ଦେବାକୁ କୁହାଯାଇଥିଲା । ତେବେ ଏହି ନିର୍ଦ୍ଦେଶକୁ ୮ଟି ରାଜ୍ୟ ଲାଗୁ କରିଥିବା ବେଳେ ଓଡିଶା ଏହାକୁ ଲାଗୁ କରିନଥିଲା । ଯାହାକୁ ଚାଲେଞ୍ଜ କରି ହୋମଗାର୍ଡମାନେ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ । ଏହି ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାଏ ପ୍ରକାଶ କରିଥିବାରୁ ହୋମଗାର୍ଡଙ୍କ ମଧ୍ୟରେ ଖୁସି ଖେଳିଯାଇଛି । ଏହି ନିୟମ ଲାଗୁ ହେବା ଫଳରେ ରାଜ୍ୟରେ କାର୍ଯ୍ୟରତ ଥିବା ମୋଟ ଉପରେ ୧୭, ୬୭୫ଜଣ ହୋମଗାର୍ଡ ଲାଭବାନ ହେବେ ।