ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା ୨୮ ତାରିଖରେ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଓଡିଶାରେ ସିଏଏ ସପକ୍ଷରେ ହେଉଥିବା ଜନ ସଭାରେ ଯୋଗ ଦେବାକୁ ଶାହା ଓଡିଶା ଆସୁଥିବା ଜଣା ପଡିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସୂଚନା ଅନୁସାରେ ଅମିତ ଶାହା ଏହି ଗସ୍ତ ଅବସରରେ ପ୍ରଭୂ ଲିଙ୍ଗରାଜଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ୨୮ ତାରିଖ ଅପରାହ୍ନରେ ସେ ବିମାନ ବନ୍ଦରରେ ପହଞ୍ଚିବେ । ବରମୁଣ୍ଡା ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେବେ । ୨୮ ଓ ୨୯ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ଶାହା । ୨୯ ତାରିଖରେ ଶାହା ପୁରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ ସାରା ଦେଶରେ ବିରୋଧୀ ମାନେ ସିଏଏକୁ ବିରୋଧ କରୁଥିବା ବେଳେ ବିଜେପି ପକ୍ଷରୁ ଏହା ସପକ୍ଷରେ ସମସ୍ତ ରାଜ୍ୟ ଓ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସିଏଏର ଫାଇଦା ବିଷୟରେ ଜନ ସାଧାରଣଙ୍କୁ ଅବଗତ କରାଯାଉଛି । ସୂଚନାଯୋଗ୍ୟ ଏନପିଆର , ଏନଆରସି ଓ ସିଏଏକୁ ନେଇ ତୁମ୍ବି ତୋଫାନ ଚାଲିଥିବା ବେଳେ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମେ ୧ ରୁ ରାଜ୍ୟରେ ଏନପିଆର ଲାଗୁ କରିବାକୁ ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଏହାକୁ ଏବେ ଅଘାଡି ଦଳର ୨ ସହଯୋଗୀ ଦଳ କଂଗ୍ରେସ ଓ ଏନସିପି ବିରୋଧ କରୁଛନ୍ତି ।