ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ଭାଇରସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ତେବେ ଦିବ୍ୟାଙ୍ଗ ଛାତ୍ରାଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ହଷ୍ଟେଲ ଗୁଡିକୁ ବନ୍ଦ କରି ଦିଆଯିବ । ଏହା ସହ ଦିବ୍ୟାଙ୍ଗଙ୍କ ଲାଗି କାମ କରୁଥିବା ବିଭିନ୍ନ ଥେରାପି ସେଣ୍ଟର ହଷ୍ଟେଲ ଗୁଡିକ ମଧ୍ୟ ବନ୍ଦ କରାଯିବ । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ମାର୍ଚ୍ଚ ୨୫ ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ହଷ୍ଟେଲ ଗୁଡିକ ବନ୍ଦ କରାଯିବ । ଏହା ସହ ଛାତ୍ରାଛାତ୍ରୀଙ୍କୁ ୩ ମାସର ଷ୍ଟାଇପେଣ୍ଡ ଆଗୁଆ ପ୍ରଦାନ କରାଯିବ । ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନ ଓ ଥେରାପି ସେଣ୍ଟର୍ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଖାଦ୍ୟପେୟ ବାବଦରେ ମାସିକ ୧୨୦୦ ଟଙ୍କା ପ୍ରଦାନ କରାଯାଇଥାଏ। ବିଭାଗରୁ ସାହାଯ୍ୟପ୍ରାପ୍ତ ହେଉଥିବା ୯୮ଟି ସ୍ବତନ୍ତ୍ର ଆବାସିକ ଶିକ୍ଷାନୁଷ୍ଠାନ ଓ ୩୨ଟି ଥେରାପି ସେଣ୍ଟରର ଛାତ୍ରଛାତ୍ରୀଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି । ରାଜ୍ୟରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ବିଭିନ୍ନ ପ୍ରକାରର କଟକଣା ଜାରି କରୁଛନ୍ତି ।
ସୂଚନା ଯୋଗ୍ୟ କରୋନା ଭାଇରସରେ ଭାରତରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସାରା ବିଶ୍ୱକୁ ଏବେ କରୋନା ଭୟ । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ୯ ହଜାରରୁ ଅଧିକ ଜୀବନ ନେଇ ସାରିଲାଣି । ସେହିପରି ଭାରତରେ ୨୦୦ରୁ ଉର୍ଦ୍ଧ ବ୍ୟକ୍ତି ଏହି ଭାଇରସରେ ଆକ୍ରାନ୍ତା ହୋଇଥିବାର ସୂଚନା ରହିଛି । ଏଥିରେ ୩୨ ଜଣ ବିଦେଶୀ ନାଗରିକ ଥିବାର ଜଣାପଡିଛି । ଅନ୍ୟପଟେ କରୋନା ମୁକାବିଲା ପାଇଁ ଆସନ୍ତା ୨୨ ତାରିଖ ଦିନ ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ଗାଇଡ ଲାଇନ ଜାରି କରାଯାଇଛି । ତେବେ ମୁମ୍ବାଇ, କର୍ଣ୍ଣାଟକା, ଦିଲ୍ଲୀ ,ପଞ୍ଜାବ ଓ ଜୟପୁରରେ ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।