ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଶେଷରେ ସାମ୍ନାକୁ ଆସିଲା ସାଙ୍ଘାତିକ ସତ । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହୋଟେଲ ହାଇୱେ ଇନରେ ଘଟିଥିବା ସେହି ଜଘନ୍ୟ ହତ୍ୟାକାଣ୍ଡ ପଛରେ ରହିଛି ଏକ କୁଖ୍ୟାତ ହତ୍ୟାକାରୀର ହାତ । ପୁଲିସ ରେକର୍ଡ କହୁଛି ହତ୍ୟାକାରୀ କେବଳ ଯେ, ଲକ୍ଷ୍ମୀପ୍ରୀୟାଙ୍କୁ ହତ୍ୟାକରି ନିଜ ଅପରାଧ ଡାଏରୀରେ ପ୍ରଥମ ଗାର ଟାଣିନି । ବରଂ ଏହା ପୂର୍ବରୁ ସେ ନିଜ ବାପା-ମା’ଙ୍କୁ ବି ଛାଡିନି ।
ସାମାନ୍ୟ ପ୍ରେମ ବ୍ୟାପାରକୁ ନେଇ ୨୦୦୯ ନଭେମ୍ବର ୨୦ରେ ନିଜ ହାତରେ ହତ୍ୟା କରିଛି ଜନ୍ମକଲା ତା’ର ବାପା-ମାଙ୍କୁ । ଯାହାପାଇଁ ସେ ଢ଼େରଦିନ ପର୍ଯ୍ୟନ୍ତ ଝାରପଡା ଜେଲର ହାୱା ମଧ୍ୟ ଖାଇଛି । ତେବେ ସବୁଠୁ ବଡ଼ କଥା ହେଉଛି ପାରୋଲରେ ଆସି ସେ ଆଉ ପୁଲିସକୁ ଧରାଛୁଆଁ ଦେଇନି । ଏନେଇ ଜେଲ କର୍ତ୍ତୃପକ୍ଷ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ବି ତାକୁ ଧରିବାକୁ ସେତେଟା ଆଗ୍ରହ ଦେଖାଇନାହିଁ । ଯାହା ଲକ୍ଷ୍ମୀପ୍ରୀୟାଙ୍କ ମୃତ୍ୟୁର ଆଉ ଏକ କାରଣ ବୋଲି ଏବେ ସବୁଠି ଚର୍ଚ୍ଚା ।
ତେବେ ଏହି ହତ୍ୟାକାରୀ ଜଣକ ହେଉଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଞ୍ଚଳର ଶାରଦା ପ୍ରସାଦ ସେଠି ଓରଫ ଲିଟୁ । ଲକ୍ଷ୍ମୀଙ୍କୁ ହତ୍ୟା କରିବା ପୂର୍ବରୁ ସେ ଖଣ୍ଡଗିରି ଥାନା ଶାମପୁର ଅଞ୍ଚଳରେ ରହୁଥିଲା । ୨୦୧୭ ନଭେମ୍ବର ୨୮ତାରିଖରେ ଦୁଇ ସପ୍ତାହ ଲାଗି ପାରୋଲରେ ଆସିଥିବା ସମୟରେ ଲକ୍ଷ୍ମୀପ୍ରୀୟା ବିଶ୍ୱାଳଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ପରେ ସମ୍ପର୍କ ନିବିଡ଼ ହେବା ପରେ ଲକ୍ଷ୍ମୀପ୍ରୀୟା ଗର୍ଭବତୀ ହୋଇଥିଲେ । ତେବେ ବାହା ହେବାକୁ ଜିଦ ଧରିବାରୁ ଯୋଜନାବଦ୍ଧ ଭାବେ ଲିଟୁ ତାଙ୍କୁ ହତ୍ୟା କରିଥିବା ଏବେ ପୁଲିସ ଜାଣିବାକୁ ପାଇଛି ।
ସେପଟେ ପୁଲିସ ଘଟଣାସ୍ଥଳରୁ ଆଧାରକାର୍ଡ ଓ ମୋବାଇଲ ଫୋନ ଜବତ କରିଥିଲା । ଯେଉଁଥିରେ ଆଦିତ୍ୟ ମହାପାତ୍ର ଲେଖା ରହିଥିଲା । ତେବେ ଯାଞ୍ଚ ସମୟରେ ଏହା ନକଲି ବୋଲି ଜଣାପଡିବା ପରେ ପୁଲିସର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥିଲା । ଏଯାବତ ମଧ୍ୟ ଲିଟୁର କିଛି ଖୋଜଖବର ପାଇନି ପୁଲିସ । ହତ୍ୟାକାଣ୍ଡକୁ ୪ମାସ ବିତିଗଲାଣି । ଏପରିସ୍ଥଳେ ହତ୍ୟାକାରୀକୁ ଠାବ କରିବା ଏବେ କଷ୍ଟକର ବ୍ୟାପାର ହୋଇପଡିଛି ।
ତେଣୁ ହତ୍ୟାକରୀ ଯେ, ପୁଣି ଆଉ ଏକ ଅପରାଧ ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁନଥିବ ତାହା କିଏ କହିବ? ସେପଟେ ହୋଟେଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ କିଛି କମ ଅନୁକମ୍ପା ଦେଖାଇନି ପୁଲିସ । ହୋଟେଲ କର୍ତ୍ତୃପକ୍ଷ ଆଧାରକାର୍ଡ କାହିଁକି ଯାଞ୍ଚ କରିନଥିଲେ? କାହିଁକି ଲାଗିନଥିଲା ହୋଟେଲରେ ସିସିଟିଭି? ଆଧାରକାର୍ଡ କଥା ଆମେ ଏଥିପାଇଁ କହୁଛୁ କାରଣ ଆଦିତ୍ୟ ମହାପାତ୍ର ଜଣେ ପୁରୁଷ ହୋଇଥିଲେ ମଧ୍ୟ ଆଧାରକାର୍ଡରେ ପତି ଭୃଗୁନାଥ ମହାପାତ୍ର ଲେଖା ରହିଥିଲା । ଯାହା ସ୍ପଷ୍ଟ ଭାବେ ଜଣାପଡୁଥିଲେ ବି ନିଜ ଡ୍ୟୁଟିରେ ଅବହେଳା କରିଥିଲେ ହୋଟେଲ କର୍ତ୍ତୃପକ୍ଷ ।
ଖାଲି ହୋଟେଲ କର୍ତ୍ତୃପକ୍ଷ କାହିଁକି ପୁଲିସ ବି ଆଧାରନମ୍ବର ଯାଞ୍ଚ କରିଥିଲେ ଲିଟୁ ସମ୍ପର୍କରେ ଖବର ପାଇଥାନ୍ତା । ହେଲେ ତାହା ନକରି ଦିଆଯାଇଥିବା ଠିକଣାକୁ ଯାଇ ଯାଞ୍ଚ ଆଳରେ ସମୟ ମଧ୍ୟ ଗଡାଇଥିଲା । କୁହାଯାଉଛି ଖାସ ଏଥିପାଇଁ ଲିଟୁ ଫେରାର ହେବାରେ ସକ୍ଷମ ହୋଇପାରିଲା । ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସ ୨୫ତାରିଖରେ ହୋଟେଲ ହାଇୱେ ଇନର ରୁମ ନମ୍ବର 121 ରୁ ଲକ୍ଷ୍ମୀପ୍ରୀୟା ବିଶ୍ୱାଳଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୁଲିସ ଠାବ କରିଥିଲା ।