ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ନାବାଳିକା ଦୁଷ୍କର୍ମ ଯେଉଁଭଳି ଭାବରେ ବଢିବାକୁ ଲାଗିଛି ତାକୁ ନେଇ ଏବେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢି ଯାଇଛି । ରାଜ୍ୟରେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଏହି ପ୍ରତିବାଦରେ ଆଜି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି ।
ଗୃହରେ ବିରୋଧୀ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ମାନେ ପ୍ରତିବାଦ କରିବା ସହିତ ହୋ ହାଲ୍ଲା କରିଛନ୍ତି । ବିଜେପି ସଦସ୍ୟମାନେ ନାବାଳିକାକୁ ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଛନ୍ତି । ତେବେ କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଛିଡା ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଗୃହ ଚାଲି ନପାରିବାରୁ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି ।
ଅନ୍ୟପଟେ ଆଜି ରାଉରକେଲାରୁ ପୁଣି ଏକ ନବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ ବୀରମିତ୍ରପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୮ ରୁ ୧୦ ଜଣ ଯୁବକ ଜଣେ ନାବାଳିକାକୁ ଜଙ୍ଗଲକୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗରେ ଆଲୋଚନା କରି ଗତକାଲି କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ।