ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଓଡିଶାରେ ବାତ୍ୟା ଫନିରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଖରେ ରିଲିଫ ପହଞ୍ଚି ପାରୁ ନାହିଁ ବୋଲି ଜାତୀୟ ମାନବଅଧିକାର କମିଶନ ରାଜ୍ୟ ସରକାରଙ୍କ ପାଖକୁ ଏ ନେଇ ଏକ ନୋଟିସ ପଠାଇଛନ୍ତି । ବାତ୍ୟା ଫୋନିରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ବହୁତ ମାତ୍ରାରେ ପ୍ରଭାବିତ ହୋଇଥିଲା । ପ୍ରଭାବିତ ହୋଇଥିବା ଅଞ୍ଚଳ ମାନଙ୍କରେ ରିଲିଫ ଠିକ ଭାବେ ଦିଆଯାଉ ପାରୁନାହିଁ ବୋଲି ବିଭିନ୍ନ ସମୟରେ ଲୋକମାନେ ରାଜରାସ୍ତା ଅବରୋଧ କରୁଥବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । ଗଣମାଧ୍ୟମର ଖବରକୁ ଭିତ୍ତିକରି ମାନବଅଧିକାର ନିଜଆଡୁ ଏହି ନୋଟିସ ଜାରି କରିଛନ୍ତି ।
ଏନେଇ ଜାତୀୟ ମାନବଅଧିକାର କମିଶନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ବାତ୍ୟା ଫୋନିରେ ପ୍ରଭାବିତ ହୋଇଥିବା ଜିଲ୍ଲା ମାନଙ୍କରେ ରିଲିଫ ଠିକ ଭାବରେ ପହଞ୍ଚି ପାରୁନଥିବା କାରଣରୁ ବିପନ୍ନ ମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି ।
ସେହିଭଳି ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବାତ୍ୟା ସହାୟତା ପାଇବାକୁ ଦାବି କରି ୫୫ ନଂ ଜାତୀୟ ରାଜପଥକୁ ଲୋକମାନେ ବନ୍ଦ କରିଥିଲେ । ସରକାରଙ୍କ ପକ୍ଷରୁ ବାତ୍ୟା ସହାୟତା ପାଇଁ ନିର୍ଦ୍ଧାରିତ ହୋଇଥିବା ପରିମାଣ ଠାରୁ କମ ପରିମାଣରେ ସାମଗ୍ରୀ ଦିଆଯାଉଥିବା ନେଇ ମଧ୍ୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଜାତୀୟ ସ୍ତରର ସ୍ୱେଚ୍ଛାସେବୀ ସଂଗଠନ କମାନଙ୍କର ସହାୟତାରେ ରିଲିଫ ବାଣ୍ଟିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏହି ନୋଟିସରେ ଉଲ୍ଲେଖ ରହିଛି ।